
ତିନି ମାସର ରାସନ ଚାଉଳ ଦେଉନାହାନ୍ତି ଡିଲର, ଲୋକେ ଚାଉଳ ପାଇଁ ବାରମ୍ବାର ଧାଇଁବାରୁ ଡିଲର ଗାଳି ଗୁଲଜ ଦେବା ସହ ମୁଁ ଚାଉଳ ଦେବିନି, କଣ କରିବ କର ଧମକ ଦେଉଛନ୍ତି। ତେଣୁ ଚାଉଳ ଗଣ୍ଡାକ ପାଇଁ ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଖବର ଆସିଛି ଯାଜପୁର ଜିଲ୍ଲା, ବିଞ୍ଝାରପୁର ବ୍ଲକ ସିଂହପୁର ପଂଚାୟତରୁ। ଅଭିଯୋଗ ମୁତାବକ, ସିଂହପୁର ପଞ୍ଚାୟତର ୭, ୮, ୯ ଓ ୧୦ନମ୍ବର ୱାର୍ଡ଼ରେ ଡିଲର ଚଳାଇଛନ୍ତି ମନମାନୀ। ଲୋକଙ୍କୁ ସରକାରଙ୍କ ମାଗଣା ଚାଉଳ ଦେଉନାହାନ୍ତି। ତିନି ମାସ ଧରି ଚାଉଳ ନ ପାଇ ଅଞ୍ଚଳର ପ୍ରକୃତ ହିତାଧିକାରୀ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ଚାଉଳ ପାଇଁ ଡିଲରଙ୍କ ସରକାରୀ ସୁଲଭ ଖାଉଟି ଦୋକାନକୁ ଗଲେ ଗାଳିମନ୍ଦ ଦେଇ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି। ମୁଁ ଚାଉଳ ଦେବିନି, ମୋର କଣ କରିବ କର ବୋଲି ଧମକ ଦେବାକୁ ପଛାଉ ନ ଥିବା କହୁଛନ୍ତି ହିତାଧିକାରୀ। ଏହାକୁ ନେଇ ବହୁ ସଂଖ୍ୟାରେ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।ଏକ ଲିଖିତ ଅଭଯୋଗ କରିଛନ୍ତି।
ଏଠାରେ କହି ରଖୁଛୁ କି, ଦୁଇ ଦିନ ତଳେ ସୁଲଭ ଖାଉଟି ଦୋକାନରେ ଶତାଧିକ ହିତାଧିକାରୀ ପହଞ୍ଚି ଚାଉଳ ପାଇଁ ଭିଡ ଲଗାଇଥିବା ବେଳେ ଡିଲର ଚାଉଳ ଦେଇନଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମସ୍ୟାର ସମାଧାନ କରି ଚାଉଳ ଦେବା ପାଇଁ ହିତାଧିକାରୀ ମାନେ ଦାବି କରୁଛନ୍ତି।