ବଡ଼ବିଲରେ ଏକ ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍ । ବଡ଼ବିଲ – କିରିବୁରୁ ରାସ୍ତାରେ ଏସଡିପିଓ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସିଟି ସେଣ୍ଟର୍ ମାର୍କେଟ କମ୍ପ୍ଲେକ୍ସରେ ଏହି ଲୁଟ୍ ହୋଇଛି । କମ୍ପ୍ଲେକ୍ସର ବେସମେଣ୍ଟରେ ରହିଥିବା ରିଦ୍ଧିକନ୍ ଲଜିଷ୍ଟିକ୍ ଅଫିସର ପଛପଟ ଝରକା ଭାଙ୍ଗି ମଧ୍ୟ ରାତ୍ରୀରେ କଳାକନା ବୁଲାଇଛନ୍ତି ଦୃବୃର୍ତ୍ତ । ଅଫିସ ଲକରରେ ରହିଥିବା ଲକ୍ଷାଧିକ ଟଙ୍କା ନେଇଯିବା ସହଉ ବିଭିନ୍ନ ନଥିପତ୍ର, ପ୍ରିଣ୍ଟର ଓ ଡିଭିଆର୍ ଆଦି ପୋଡ଼ି ଦେଇଛନ୍ତି ଦୃବୃର୍ତ୍ତ। ଏଥିସହ ୪ଟି ସିସିଟିଭି କ୍ୟାମେରା ତାଡ଼ି ନେଇଯାଇଛନ୍ତି । ତେବେ କମ୍ପ୍ଲେକ୍ସ ଓ ଆଖ ପାଖରେ ଲାଗିଥିବା ଅନ୍ୟ କେତେକ ସିସିଟିଭି କ୍ୟାମେରାରେ ଦୃବୃର୍ତ୍ତଙ୍କ ଚିତ୍ର କଏଦ୍ ହୋଇଥିବା ଜଣାପଡ଼ିଛି ।
ଘଟଣାରେ ଏକାଧିକ ଦୃବୃର୍ତ୍ତ ସାମିଲ ଥିବାବେଳେ, ସେମାନେ ରେନ୍ କୋର୍ଟ ପିନ୍ଧିଥିବା କୁହାଯାଉଛି । ଖବର ପାଇ ବଡ଼ବିଲ ଏସଡିପିଓ ଏବଂ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି । ଏନେଇ ସଂପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।