ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରଦୀପ ବାରିକ ନାମାଙ୍କନ ଦାଖଲ କରିଛନ୍ତି । ସମ୍ପାଦକ ପ୍ରାଥି ପ୍ରଦୀପ, ଧାଙ୍ଗରପଡା ପ୍ରୀତମ ହୋଣ୍ଡା ସୋ ରୁମ ସମ୍ମୁଖ ନିକଟରୁ ବହୁସଂଖ୍ୟାରେ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଭରିଥିଲେ । ପରିବର୍ତ୍ତନର ସ୍ଲୋଗାନ ଦେଇ ସମର୍ଥକ ଟ୍ରକ୍ ମାଲିକ ମାନେ ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଚଳିତ ବର୍ଷ ବିଭିନ୍ନ ପଦପଦବୀ ପାଇଁ ମୋଟ ୩୨୫ଟି ନାମାଙ୍କନ ବିକ୍ରି ହୋଇଥିବା ବେଳେ ୧୨୫ ଜଣ ଦାଖଲ କରିଛନ୍ତି । ସଭାପତି ପଦବୀରେ ୪ ଜଣ ଏବଂ ସାଧାରଣ ସମ୍ପାଦକ ପଦବୀରେ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

ସଂଘର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୪୬୬୭ ଜଣ ସଦସ୍ୟ ରହିଥ‌ିବା ବେଳେ ୭ଟି ଜୋନ୍ ରହିଛି । କେନ୍ଦୁଝର ଜୋନ୍‌ରେ ସର୍ବାଧ‌ିକ ୨୦୩୦, ଘଷିପୁରାରେ ୭୬୭, ରାମଚନ୍ଦ୍ରପୁରରେ ୫୬୬, ଚମ୍ପୁଆରେ ୪୦୮, ଢେଙ୍କିକୋଟରେ ୩୧୧, ହାଟହିନ୍ଦୀରେ ସର୍ବନିମ୍ନ ୨୮୦ ଓ ଘଟଗାଁ ଜୋନ୍‌ରେ ୩୦୫ ଜଣ ସଦସ୍ୟ ରହିଛନ୍ତି । ଜିଲାର ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନେଇ ନିର୍ବାଚନ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନ ଏହାକୁ ପରିଚାଳନା କରିବା ସହ ବରିଷ୍ଠ ନାଗରିକ ମଣ୍ଡଳୀ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

Leave a Reply

Your email address will not be published. Required fields are marked *