ଓଡ଼ିଶାରେ ଧାନ ବିକ୍ରୟ ବ୍ୟବସ୍ଥାକୁ ନେଇ ଗଭୀର ସଙ୍କଟ ସୃଷ୍ଟି ହୋଇଛି। ଟୋକନ ମିଳିଥିଲେ ମଧ୍ୟ ଲକ୍ଷାଧିକ ଚାଷୀ ତାଙ୍କ ଧାନ ବିକ୍ରି କରିପାରୁନାହାନ୍ତି। ସରକାରଙ୍କ ନିୟମ ଓ ପ୍ରଶାସନିକ ବ୍ୟବସ୍ଥାପନା ପ୍ରତି ଚାଷୀମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି।

ବିଶେଷ କରି, ଟୋକନ ଥିବା ସତ୍ତ୍ୱେ ପ୍ରାୟ ୧ ଲକ୍ଷ ୧୧ ହଜାର ଚାଷୀ ଧାନ ବିକ୍ରି କରିପାରିନଥିବା କଥା ସ୍ୱୟଂ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସହିତ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ ନ କରିବା ନିୟମ ଚାଷୀଙ୍କ ଅସୁବିଧାକୁ ଆହୁରି ବଢ଼ାଇଛି। ଧାନ କ୍ରୟର ଶେଷ ତାରିଖ ଶେଷ ହୋଇଯାଇଥିଲେ ବି ଅନେକ ଚାଷୀ ତାଙ୍କ ଉତ୍ପାଦ ବିକ୍ରି କରିପାରିନଥିବାରୁ ହତାଶ ଅବସ୍ଥାରେ ରହିଛନ୍ତି। ବିଭିନ୍ନ ମଣ୍ଡିରେ ଧାନ ନେଇ ଚାଷୀମାନେ ଅପେକ୍ଷା କରୁଥିବା ବେଳେ ସରକାରୀ ବ୍ୟବସ୍ଥା ପ୍ରତି ଅସନ୍ତୋଷ ଜାରି ରହିଛି।
ଏହି ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ଦଳ ପକ୍ଷରୁ ଜିଲ୍ଲାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଲଗାତାର ପ୍ରତିବାଦ କରାଯାଉଛି। ଦଳର ଅଭିଯୋଗ ହେଉଛି, ସରକାର ଚାଷୀଙ୍କ ସମସ୍ୟା ପ୍ରତି ଗମ୍ଭୀର ନୁହେଁ। ସମସ୍ୟାର ସମାଧାନ ପାଇଁ ଚାଷୀମାନେ ତତ୍କାଳ ପଦକ୍ଷେପ ଦାବି କରୁଛନ୍ତି, ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।