ଟି–୨୦ ବିଶ୍ୱକପ୍ ଫାଇନାଲରେ ଭାରତ : ରୋମାଞ୍ଚକର ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ

ଟି–୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ପ୍ରବେଶ କରିଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଫାଇନାଲ ଟିକେଟ୍ ପକ୍କା କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚକର ହୋଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୫୩ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ସଞ୍ଜୁ ସାମସନ ଶାନଦାର ବ୍ୟାଟିଂ କରି ୮୯ ରନ୍ କରିଥିଲେ, ଯାହା ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା। ଏହା ସହିତ ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଭାରତ। ଲକ୍ଷ୍ୟ ପଛୁଆ କରିବାକୁ ନାମିଥିବା ଇଂଲଣ୍ଡ ଦଳ ମଧ୍ୟ ଜବରଦସ୍ତ ଲଢ଼େଇ କରିଥିଲା। ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ ଐତିହାସିକ ଶତକୀୟ ପାଳି ଖେଳି ଦଳକୁ ମ୍ୟାଚ୍‌ରେ ରଖିଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡ ୨୪୬ ରନ୍ କରିବାରେ ସୀମିତ ରହିଥିଲା।

ମ୍ୟାଚ୍‌ର ଶେଷ ତିନି ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା। ତେବେ ୧୮ତମ ଓଭରରେ ଜସପ୍ରିତ ବୁମରା ମାତ୍ର ୬ ରନ୍ ଦେଇ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍ ଦେବା ସହ ସାମ୍ କରନଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଭାରତଙ୍କ ବିଜୟକୁ ପ୍ରାୟ ନିଶ୍ଚିତ କରିଦେଇଥିଲେ।

ଶେଷ ଓଭରରେ ଇଂଲଣ୍ଡ ଆଉ ମ୍ୟାଚ୍‌କୁ ଫେରିପାରିନଥିଲା ଏବଂ ଭାରତ ୭ ରନରେ ଜିତି ଫାଇନାଲକୁ ପ୍ରବେଶ କରିଛି। ଏହି ବିଜୟ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ “ସୂର୍ଯ୍ୟସେନା” ଟି–୨୦ ବିଶ୍ୱକପ୍ ଟ୍ରଫିରୁ ମାତ୍ର ଗୋଟିଏ ପଦକ୍ଷେପ ଦୂରରେ ରହିଛି।