ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକକୁ ନେଇ ବର୍ତ୍ତମାନ ରାଜନୀତିକ ଦେଖିବାକୁ ମିଳିଛି ରାଜନିତିକ ଝଡ । ଟିଏମସି ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବୈଠକ ସମୟରେ ଅସଭ୍ୟ ବ୍ୟବହାର କରିଥିଲେ। ଟିଏମସି ସାଂସଦ ଡେରେକ ଓବ୍ରାଇନଙ୍କ କହିବା ଅନୁସାରେ, ବୈଠକ କେବଳ କିଛି ମିନିଟ ଚାଲିଥିଲା ଏବଂ ଆରମ୍ଭର ୭ ମିନିଟ ମଧ୍ୟରେ ହିଁ ସେମାନଙ୍କୁ “ଗେଟ ଲଷ୍ଟ” କହି ବାହାରିଯିବାକୁ କୁହାଯାଇଥିଲା। ସେ କହିଛନ୍ତି ଯେ ବୈଠକ ୧୦:୦୨ ମିନିଟରେ ରେ ଆରମ୍ଭ ହୋଇ ୧୦:୦୭ରେ ଶେଷ ହୋଇଯାଇଥିଲା ।

ଟିଏମସିର ଅଭିଯୋଗ ହେଉଛି ଯେ ସେମାନେ ରାଜ୍ୟରେ ଚାଲୁଥିବା ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ବିଶେଷ କରି କିଛି ଅଧିକାରୀଙ୍କ ବଦଳି ଓ ନନ୍ଦିଗ୍ରାମରେ ଘଟୁଥିବା କାର୍ଯ୍ୟକଳାପ ଉପରେ ସେମାନେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ତାଙ୍କ କଥା ଶୁଣିବା ପରିବର୍ତ୍ତେ ମୁଖ୍ୟ ନିର୍ବାଚନ କମିଶନର ସେମାନଙ୍କୁ ଅଫିସ ଛାଡ଼ିବାକୁ କହିଥିଲେ। ଏହି ବ୍ୟବହାରକୁ ଟିଏମସି ଅତ୍ୟନ୍ତ ଅସଭ୍ୟ ଓ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛି ।
ଏହା ସହିତ ଟିଏମସି କହିଛି ଯେ ଦଳନେତ୍ରୀ ମମତା ବାନାର୍ଜୀ ପୂର୍ବରୁ ନିର୍ବାଚନ କମିଶନକୁ ୯ଟି ଚିଠି ଲେଖିଥିଲେ, କିନ୍ତୁ ସେଥିରେ କୌଣସି ଉତ୍ତର ମିଳିନଥିଲା। ସେଥିପାଇଁ ଏହି ବୈଠକ ହୋଇଥିଲା। ଟିଏମସି ଏହି ବୈଠକର ଭିଡିଓ ଓ ଅଡିଓ ସାମ୍ନାକୁ ଆଣିବାକୁ ମଧ୍ୟ ଦାବି କରିଛି, ଯାହା ଦ୍ୱାରା ସତ୍ୟ ପ୍ରକାଶ ପାଇବ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ, ନିର୍ବାଚନ କମିଶନ ପକ୍ଷରୁ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ସୂତ୍ରମାନଙ୍କ ଅନୁସାରେ ଟିଏମସିର ଅଭିଯୋଗକୁ ଖଣ୍ଡନ କରାଯାଇଛି। ସେମାନଙ୍କ କହିବା ଅନୁସାରେ ବୈଠକ ସମୟରେ ଡେରେକ ଓବ୍ରାଇନ ଉଚ୍ଚ ସ୍ୱରରେ କଥାହେଉଥିଲେ ଏବଂ ପରିସ୍ଥିତିକୁ ତୀବ୍ର କରିଥିଲେ। ଏହା ସହିତ ଟିଏମସି ପ୍ରତିନିଧିମାନେ ଆଲୋଚନା ପାଇଁ ନୁହେଁ, ନିଜମତ ଥୋପିବା ପାଇଁ ଆସିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।
ସାରା ଘଟଣା ନେଇ ଦୁଇପକ୍ଷ ମଧ୍ୟରେ ମତଭେଦ ଥିବା ସ୍ପଷ୍ଟ ହୋଇଛି। ଏକପଟେ ଟିଏମସି ନିର୍ବାଚନ କମିଶନର ନିରପେକ୍ଷତାକୁ ପ୍ରଶ୍ନ କରୁଥିବା ବେଳେ, ଅନ୍ୟପଟେ କମିଶନ ପକ୍ଷରୁ ମଧ୍ୟ ଟିଏମସିର ବ୍ୟବହାର ଉପରେ ପ୍ରଶ୍ନ ଉଠାଯାଇଛି। ଏହି ଘଟଣା ଆଗାମୀ ଦିନରେ ଆଉ ବଡ଼ ରାଜନୀତିକ ବିବାଦକୁ ଜନ୍ମ ଦେଇପାରେ ବୋଲି ରାଜନୈତିକ ସମିକ୍ଷକ ଆକଳନ କଲେଣି ।