ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଚେନ୍ନାଇର ଏକ କୋର୍ଟ ଦେଇଛନ୍ତି। ତାଙ୍କ ଥିଏଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା (ESI) ଟଙ୍କା ଦେଉନଥିବା ଅଭିଯୋଗର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ପକାଇଛନ୍ତି।
‘ଜୟା ପ୍ରଦା ସିନେ ଥିଏଟର’୧୯୯୧ (ନଭେମ୍ବର)ରୁ ୨୦୦୨ (ସେପ୍ଟେମ୍ବର) ପର୍ଯ୍ୟନ୍ତ ୮,୧୭,୭୯୪ ଟଙ୍କା ଦେବାରେ ବିଫଳ ହୋଇଥିବାରୁ ESI ନିଗମ ଜୟା ପ୍ରଦା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା। ଏଥିସହ ଅଭିଯୋଗକାରୀଙ୍କୁ ଉପଯୁକ୍ତ ପରିମାଣର ଅର୍ଥ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ESI ଦର୍ଶାଇଛି ଯେ, କର୍ମଚାରୀମାନେ ରାଜ୍ୟ ବୀମା ଆଇନର ଧାରା ୮୫(କ) ଅନୁଯାୟୀ ଅବଦାନ ପ୍ରଦାନ ନକରିବାର ଅପରାଧ କରିଛନ୍ତି, ଯାହା ଆଇନର ଧାରା ୮୫ (i) (b) ଅନୁଯାୟୀ ଦଣ୍ଡନୀୟ। ଜୟା ପ୍ରଦା ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ଅନ୍ୟତମ ଲୋକପ୍ରିୟ ତଥା ପ୍ରଭାବଶାଳୀ ଅଭିନେତ୍ରୀ ପରେ, ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ୧୯୯୪ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ରାଜ୍ୟସଭା ସାଂସଦ ଏବଂ ପରେ ଲୋକସଭା ସାଂସଦ ହୋଇଥିଲେ। ସେ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।