ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ ବୟସ ବର୍ଗର ସି.ଏମ ଟ୍ରଫି ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦର ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂସଦ ସଭାପତି ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା କ୍ରୀଡ଼ା ସଂସଦ ଉପ ସଭାପତି ପ୍ରହଲ୍ଲାଦ ହାୟ ମୀନା ଅତିଥି ଭାବରେ ଯୋଗଦେଇଥିଲେ ।

ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ପ୍ରଭାତ ଆଦିତ୍ୟ ମିଶ୍ର , କ୍ରୀଡ଼ା ସମ୍ପାଦକ ହରଦୀପ ସିଂ, ଫୁଟବଲ ସମ୍ପାଦକ ଶେକ ସବଦର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ ମ୍ୟାଚ୍ଟି ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା । ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦଳର ୧୧ ନମ୍ବର ଖେଳାଳି ରୋହନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ।