
ଅଘୋଷିତ ନଗଦ ଟଙ୍କା ମିଳିବା ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମା ଦେଲେ ନିଜ ପଦରୁ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ନିଜର ଇସ୍ତଫାପତ୍ର ଶୁକ୍ରବାର ପ୍ରଦାନ କରିଛନ୍ତି । ଗତ ବର୍ଷ ତାଙ୍କ ବାସଭବନରୁ ଅଘୋଷିତ ନଗଦ ଟଙ୍କା ଘଟଣାକୁ ନେଇ ସେ ବିବାଦ ଘେରରେ ରହିଆସିଥିଲେ । ସୂଚନା ମୁତାବକ ଏହି ବିବାଦ କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା ଘଟଣାଟି ଭାରତୀୟ ନ୍ୟାୟପାଳିକା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଚର୍ଚ୍ଚିତ ବିବାଦ ଭାବେ ଉଭୟ ଆଇନ ଓ ରାଜନୈତିକ ମଞ୍ଚରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି । ଘଟଣାର ଆରମ୍ଭ 2025 ମାର୍ଚ୍ଚ ମାସରେ ଦିଲ୍ଲୀର 30 ତୁଘଲକ ରୋଡ୍ ସ୍ଥିତ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ଘଟିଥିବା ଅଗ୍ନିକାଣ୍ଡ ସହିତ ଜଡିତ। ହୋଲି ଦିନ ରାତି ପ୍ରାୟ 11ଟା 30 ମନିଟ୍ ସମୟରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲା। ପରେ ସେଠାରେ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ଅଭିଯୋଗ ଆସ୍ନାକୁ ଆସିଥିଲା, ଯାହା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ଅଭିଯୋଗ ପରେ ମାମଲା ଗୁରୁତର ଆକାର ନେଇଥିଲା ଏବଂ ସୁପ୍ରିମକୋର୍ଟରେ ଏକ ତିନିଜଣ ସଦସ୍ୟୀୟଙକୁ ନେଇ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ। କମିଟି ତଦନ୍ତରେ ଅଭିଯୋଗଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସତ୍ୟ ବୋଲି ମନେ କରାଯାଇଥିଲା। ଏହା ପରେ ରିପୋର୍ଟଟି ରାଷ୍ଟ୍ରପତି ଓ ଉଚ୍ଚ ସଂବିଧାନିକ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିଲା ଏବଂ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଘଟଣା ପୂର୍ବରୁ ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସ୍ଥାନାନ୍ତର କରି ଆହ୍ଲାବାଦ ହାଇକୋର୍ଟକୁ ପଠାଯାଇଥିଲା । ସେଠାରେ ସେ 2025 ଏପ୍ରିଲ 5 ତାରିଖରେ ବିଚାରପତି ଭାବେ ଶପଥ ନେଇଥିଲେ। କିନ୍ତୁ ତଦନ୍ତ ଚାଲିଥିବା ସମୟରେ ତାଙ୍କ ନାମ ଆଉ ଅଧିକ ବିବାଦରେ ଜଡିତ ହେଉଥିଲା।ଏହି ସମସ୍ତ ଘଟଣାରେ ତାଙ୍କ ଦିଲ୍ଲୀ ବାସଭବନରେ ଅଗ୍ନିକାଣ୍ଡ ସମୟର ଅନୁପସ୍ଥିତି, ପରେ ମିଳିଥିବା ନଗଦ ଟଙ୍କା ଓ ପ୍ରଶାସନିକ ତଦନ୍ତ ସବୁ ମିଶି ମାମଲାକୁ ଆଉ ଗମ୍ଭୀର କରିଥିଲା। ସୁପ୍ରିମକୋର୍ଟ କଲେଜିୟମ ମଧ୍ୟ ଏହି ବିଷୟକୁ ଗୁରୁତ୍ୱ ଦେଇ ତାଙ୍କ ସ୍ଥାନାନ୍ତର ସୁପାରିଶ କରିଥିଲେ।

ଶେଷରେ ତଦନ୍ତ ଓ ସମ୍ଭାବ୍ୟ ମହାଭିଯୋଗ ପ୍ରକ୍ରିୟା ମଧ୍ୟରେ ଜଷ୍ଟିସ୍ ଯଶୱନ୍ତ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇ ରାଷ୍ଟ୍ରପତିଙ୍କୁ ପତ୍ର ପଠାଇଛନ୍ତି। ଏହି ଇସ୍ତଫାକୁ ନ୍ୟାୟପାଳିକାର ଏକ ଗମ୍ଭୀର ଅନ୍ତର୍ଦ୍ଦୃଷ୍ଟି ଭାବେ ଦେଖାଯାଉଛି ଏବଂ ମାମଲା ଏଯାବତ୍ ଆଇନଗତ ପ୍ରକ୍ରିୟାରେ ରହିଛି ।ଯଦିଓ ପୂର୍ବରୁ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ତଦନ୍ତ କମିଟିର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ । ତଥାପି ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଆମେ ଭାବୁଛି ଯେ ଆବେଦନକାରୀ ବର୍ତ୍ତମାନ ମାମଲାରେ କୌଣସି ଆଶ୍ୱସ୍ତି ପାଇବାକୁ ହକଦାର ନୁହଁନ୍ତି ।