ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା

ଆଜି ପବିତ୍ର ଗହ୍ମା ପୁନେଇ ରେ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି ଭଉଣୀ ସୁଭଦ୍ରା । ବଡ ଠାକୁର ପିନ୍ଧିଛନ୍ତି ବଡ ରାକ୍ଷୀ । ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନ କୁ ଦର୍ଶନ କରି ନିଜ କୁ ଧନ୍ୟ ମଣିଛନ୍ତି ଭକ୍ତ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରିଛନ୍ତି ସ୍ଵତନ୍ତ୍ର ପାଟରା ବିଷୋୟୀ ସେବକ । ଗତ ଚିତାଲାଗି ଅମାବାସ୍ୟା ଠାରୁ ଏହି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧି ମୁତାବକ ମହାପ୍ରଭୁ ଶ୍ରଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି । ଏଥି ସହ ହାତରେ ଦୁଇଟି ଲେଖାଏଁ ଗୁଆମାଲ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗହ୍ମା ପୂର୍ଣ୍ଣିମାରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହେଉଛି ।

ଶ୍ରୀ ମନ୍ଦିର ଚୁନାର ସେବକ ଶରତ ମହାନ୍ତି କହିଛନ୍ତି , ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀ ଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ର ପର୍ବ । ଯେମିତି ଭାଇ ଠାରୁ ସୁରକ୍ଷା ଆଶା ନେଇ ଭଉଣୀ ଭାଇ ହାତରେ ରାକ୍ଷୀ ଭିଡ଼ିଥାଏ ଠିକ୍ ସେହିଭଳି ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରା ଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି । ୪ଟି ବୃହତ କାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁ ଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁ ଙ୍କ ଶ୍ରୀଭୂଜ ରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁଯାୟୀ ଜଜ ମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ପୁରୋହିତ ମାନେ ରକ୍ଷା ବନ୍ଧନ ପୂର୍ବକ ହାତରେ ଡୋରୀ ପିନ୍ଧାଇଥାଆନ୍ତି । ଶ୍ରୀ ମନ୍ଦିର ପାଟରା ବିଷୋୟୀ ସେବକ ମାନେ ମହାପ୍ରଭୁ ଙ୍କ ପାଇଁ ରାକ୍ଷୀ ତିଆରି କରିଥାନ୍ତି ।

ରାକ୍ଷୀ ତିଆରି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକ ଙ୍କୁ ଆବଶ୍ୟକ ପରିମାଣ ର ବାସୁଙ୍ଗା ପାଟଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗ ରେ ବୁଡ଼ାଇ ଖରାରେ ସୁଖାଯାଇଥାଏ । ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟ କୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆ ରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ । ବାଶୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଶ୍ରଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । ଶ୍ରୀ ମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି ।