ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

ବାମେବାରୀ ଥାନା କାଳିଆପାଳ ଜଙ୍ଗଲ, ଜଗଦଳା ନାଳ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କିଛି ଲୋକ ଜଙ୍ଗଲରେ ଛେଳି ଚାରାଇବା ବେଳେ ନାଳ ନିକଟରେ ଏକ ଗଲିଟ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗାଁ ଲୋକେ ଆଜି ବାମେବାରୀ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ୟକ୍ତିଙ୍କ ମୃତ୍ୟୁ ହେବାର ପାଖାପାଖି ଏକ ସପ୍ତାହ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା କିଛି ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରିରଖିଛି ।