ଚାକିରି ନମିଳିବାକୁ ନେଇ ଜଣେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଯୁବତୀ ଜଣକ ‘ଡିପ୍ଲୋମା ଇନ୍ ଅର୍ଲି ଚାଇଲ୍ଡ କେୟାର ଏଜୁକେଶନ’ କୋର୍ସ ସମ୍ପୂର୍ଣ୍ଣ କରିଥିଲେ ଏବଂ ଶିଶୁ ବାଟିକାରେ ଚାକିରି ପାଇବା ଆଶା ରଖିଥିଲେ। କିନ୍ତୁ ଏହି କୋର୍ସ ଅନୁସାରେ ନିଯୁକ୍ତି ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିବା ବିଷୟରେ ସେ ସୂଚନା ପାଇଥିବା କୁହାଯାଉଛି।ଏନେଇ ଅସନ୍ତୋଷ ପ୍ରକାଶ କରିବା ଓ ନ୍ୟାୟ ଦାବିରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ଯୁବତୀ ନିଜ ଡ୍ରେସ୍ରେ ଦିଆସିଲି ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଖବର ମିଳିଛି।
ତୁରନ୍ତ ସ୍ଥାନୀୟ ଲୋକ ଓ ପୁଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିନି। ଘଟଣା ପରେ ଭଦ୍ରକ ଏସ୍ପି ହସ୍ପିଟାଲକୁ ପହଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପୁଣିଥରେ ଚାକିରି ସମସ୍ୟା ଓ ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି।