ଚନ୍ଦ୍ରା ଇଞ୍ଜିନିୟରିଂ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ

ରାଜଗାଙ୍ଗପୁର ତାଲକିପଡା ଚନ୍ଦ୍ରା ଇଞ୍ଜିନିୟରଙ୍ଗ ୱାର୍କ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଗତକାଲି ସକାଳ ୬ ଟା ସମୟରେ ରାଜଗାଙ୍ଗପୁର ବ୍ଲକ କୁଟୀନିଆ ପଞ୍ଚାୟତର ଫକୀରପଡା ନିବାସୀ ଫଗୁ ମାଝୀ(51)ଚନ୍ଦ୍ରା ଇଞ୍ଜିନିୟରଙ୍ଗିରେ କାମ କରୁଥିବାବେଳେ ସୁରକ୍ଷା ଉପକରଣର ଅଭାବ ଯୋଗୁଁ ହଠାତ ତାଙ୍କ ମୁଁହରେ ଆଘାତ ଲାଗିଥିଲା, ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ଯୁ ଘଟିଥିଲା | କାରଖାନା କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ବହୁ ବିଳମ୍ବରେ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ, ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲାକୁ ପଠା ଯାଇଥିଲା |

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆମକୁ ବହୁତ ବିଳମ୍ବରେ ଖବର ଦେଇଥିଲେ | ତୁମ ବାପାଙ୍କର ଦୁର୍ଘଟଣା ହୋଇଯାଇଛି, ତାଙ୍କୁ ଆମେ ଘରୋଇ ଚିକିତ୍ସାଳୟ ଶାନ୍ତି ସଦନକୁ ନେଇଛୁ, ଆମେ ଆସି ଶାନ୍ତି ସଦନ ଚିକିତ୍ସାଳୟରେ ଦେଖି ସେଠାରେ ନପାଇବାରୁ କାରଖାନା କର୍ତ୍ତୃପକ୍ଷଙ୍କୁ ସମ୍ପର୍କ କରିବା ପରେ ତାଙ୍କୁ ରାଉରକେଲା ମଡେଲ ହସ୍ପିଟାଲକୁ ନେଉଛୁ ବୋଲି କହିଥିଲେ | ସେଠାରେ ଯାଇ ପହଁଚିଲା ପରେ ପୁଣି କହିଥିଲେ ଯେ, ତାଙ୍କୁ ରାଉରକେଲା ଇସ୍ପାତ ହସ୍ପିଟାଲକୁ ନେଉଛୁ ବୋଲି | ସେଠାରେ ତାଙ୍କର ମୃତ୍ୟୁ ଘୋଷଣା ହୋଇଥିବା ଶୁଣିବାକୁ ପାଇଥିଲୁ | ପରିବାର ଲୋକେ କାରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀଙ୍କ ସହ ଥାନା ପରିସରରେ ଭିଡ଼ ଜମାଇଥିବା ଜଣାଯାଇଛି |

ପ୍ରକାଶ ଥାଉକି, ରାଜଗାଙ୍ଗପୁର ଅଞ୍ଚଳରେ ବହୁତ କଳ କାରଖାନା ସ୍ଥାପନ ହୋଇଛି, ଯେଉଁଠି ଶ୍ରମିକ ମାନେ ଅସୁରକ୍ଷିତ ଭାବେ କାର୍ଯ କରୁଛନ୍ତି, ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଉନଥିବା ଜଣାପଡିଛି | ପ୍ରାୟ ବହୁ ସମୟରେ ଛୋଟ ମୋଟ ଦୁର୍ଘଟଣା ହେବା ସହ ଶ୍ରମିକଙ୍କ ମୃତ୍ୟୁ ହୋଇ ଯାଉଛି | ଶ୍ରମିକଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଉଚ୍ଚପ୍ରଶାସନଙ୍କୁ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମତବ୍ୟକ୍ତି କରିଛନ୍ତି |