
ଶେଷ ହୋଇଛି ମହାକୁମ୍ଭ ମେଳା |ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ମହାକୁମ୍ଭ ମେଳା । ଦୀର୍ଘ ୪୫ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ପ୍ରାୟ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ମହାକୁମ୍ଭକୁ ୫୦ ରୁ ଅଧିକ ଦେଶରୁ ଆସିଥିଲେ ଭକ୍ତ । ମହାକୁମ୍ଭ ସମୟରେ ସରକାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ ।

ତ୍ରିବେଣୀ ସଙ୍ଗମର ସଫଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ସନ୍ଥ ଏବଂ ଭକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାକୁମ୍ଭ ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ଲଗାଇଛନ୍ତି । ଏହାସହିତ ଗଙ୍ଗା ନଦୀରୁ ଅଳିଆ ସଫା କରିଛନ୍ତି । ଯୋଗୀ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆଯିବ ବୋଲି କହିଛନ୍ତି । ଡଙ୍ଗା କିଣିବା ପାଇଁ ଧନରାଶି ଦିଆଯିବ ବୋଲି କହିଛନ୍ତି । ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶ ସରକାର ୨୦୨୫ ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ସମନ୍ବିତ ସ୍ବଚ୍ଛତା ଅଭିଯାନ ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।