୫ ମାସ ଧରି ଘରେ ଥିଲା ଝିଅର ମୃତଦେହ
ମୃତଦେହ ପାଖରେ ଶୋଉଥିଲା ବାପା
ଦୁର୍ଗନ୍ଧ ଢାକିବାକୁ କରିଥିଲେ ପରଫ୍ୟୁମ୍ ବ୍ୟବହାର
ସାମ୍ନାକୁ ଆସିଲା ଛାତିଥରାଇବା ଭଳି ଘଟଣାର ଚିତ୍ର

ହଁ ଆଜ୍ଞା ନିଜ ଝିଅର ମୃତଦେହ ସହ ଦିନେ କି ଦୁଇଦିନ ନୁହେଁ ବରଂ ୫ ମାସ, ଗୋଟିଏ ଘରେ ରହିଥିଲା ବାପା । ଦୁର୍ଗନ୍ଧ ଲୁଚାଇବା ପାଇଁ ବାପା ବ୍ୟବହାର କରୁଥିଲା ପରଫ୍ୟୁମ୍ । କଥାଟା ଶୁଣଇବାକୁ ତାଜୁବ ଲାଗୁଥିଲେବି କିନ୍ତୁ ସତ । ଉତ୍ତର ପ୍ରଦେଶର ମିରଟରୁ ଏକ ଅତ୍ୟନ୍ତ ଚମକଦାର ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣା ସାମ୍ନାକୁ ଆସିବା ପରେ ଶୁଣିବା ଲୋକର ଛାତି ଥରିଉଠିଛି । ଜଣେ ପିତା ନିଜ ଝିଅର ମୃତଦେହ ସହ ପୂରା ୫ ମାସ ଧରି ଗୋଟିଘରେ ରହୁଥିବା ଘଟଣା ସବୁଠି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଦୁର୍ଗନ୍ଧ ହେଉଥିବା ସତ୍ତ୍ୱେ ସେ ମୃତଦେହ ଉପରେ ପରଫ୍ୟୁମ୍ ସ୍ପ୍ରେ କରି ଗନ୍ଧ ଲୁଚାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି ।

ଏହି ଘଟଣା ମିରଟ ସଦର ଅଞ୍ଚଳର ତେଲି ମୋହଲ୍ଲାରେ ଘଟିଛି । ଉଦୟ ଭାନୁ ବିଶ୍ୱାସ ନାମକ ବ୍ୟକ୍ତି ତାଙ୍କ ୩୪ ବର୍ଷୀୟ ଝିଅ ପ୍ରିୟଙ୍କା ସହ ରହୁଥିଲେ । ଦୀର୍ଘଦିନ ଧରି ପ୍ରିୟଙ୍କାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ପରିବାରର ଅନ୍ୟ ସଦସ୍ୟଙ୍କ ସନ୍ଦେହ ହୋଇଥିଲା । ଯେତେବେଳେ ତାଙ୍କ ସମ୍ପର୍କୀୟ ଭାଇ ଫୋନ୍ କରିଥିଲେ, ଉଦୟ ଭିନ୍ନ ଭିନ୍ନ ଜବାବ ଦେଇ ଏଡ଼ାଇଯାଉଥିଲେ । କେବେ କହୁଥିଲେ ଝିଅ ଡେରାଡୁନରେ ଚିକିତ୍ସାଧୀନ ଅଛନ୍ତି ତ ଆଉ କାହାକୁ ଆଉକିଛି କହୁଥିଲେ । କଥାର କୌଣସି ତାଳମେଳ ରହୁନଥିବାରୁ ବଢିଥିଲା ସନ୍ଦେହ । ସମ୍ପର୍କୀୟମାନେ ଉଦୟଙ୍କୁ ଧରି ଘରକୁ ନେଇ ପଚରାଉଚରା କଲେ । ଶେଷରେ ସେ ସତ୍ୟ କହିଦେଲେ । ଘର ଭିତରକୁ ପୋଲିସ ପ୍ରବେଶ କରି ଯେଉଁ ଦୃଶ୍ୟ ଦେଖିଲେ, ସେଥିରେ ସମସ୍ତେ ଆଚମ୍ବିତ ହୋଇଯାଇଥିଲେ । ବିଛଣା ଉପରେ ପଡ଼ିଥିବା ପ୍ରିୟଙ୍କାଙ୍କ ମୃତଦେହ ପ୍ରାୟ କଙ୍କାଳରେ ପରିଣତ ହୋଇଯାଇଥିଲା ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରିୟଙ୍କା ପ୍ରାୟ ୫ ମାସ ପୂର୍ବରୁ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ତାଙ୍କ ବାପା ଚିକିତ୍ସାର ବଦଳରେ ଝଡ଼ାଫୁଙ୍କାରେ ଭରସା କରିଥିଲେ । ମୃତ୍ୟୁ ପରେ ସେ ମୃତଦେହକୁ ଦାହ କିମ୍ବା ସମାଧି ନକରି ଘରେ ରଖିଥିଲେ । ଗନ୍ଧ ଲୁଚାଇବା ପାଇଁ ସେ ଅତର ଓ ପରଫ୍ୟୁମ୍ ବ୍ୟବହାର କରୁଥିଲେ ।ଖାଲି ସେତିକି ନୁହେଁ ଜଣାପଡିଛି କି ୨୦୧୩ ମସିହାରେ ପ୍ରିୟଙ୍କାଙ୍କ ମାଆ ଆତ୍ମହତ୍ୟା କରିଥିଲେ । ସେବେଠାରୁ କାଳେ ପରିବାରଟି ମାନସିକ ଭାବେ ଭାଙ୍ଗିପଡ଼ିଥିବା । କିନ୍ତୁ ପତ୍ନୀ କାହିଁକି ଆତ୍ମହତ୍ୟା କଲେ, ବାସ୍ତବରେ ଝିଅର ମୃତ୍ୟୁ ଜଣ୍ଡିସ ପାଇଁ ହୋଇଛି ନା ଏହାପଛରେ କାରଣ ଆଉକିଛି ରହିଛି ତାହା ତଦନ୍ତ ହେବାପରେହିଁ ସ୍ପଷ୍ଟ ହେବ ।