ଘରୋଇ ବସ୍ ମାଲିକଙ୍କ ଗୁଣ୍ଡାରାଜ: ଯାତ୍ରୀଙ୍କ ପକେଟ୍ ମାରୁଛନ୍ତି ବସ୍ କର୍ମଚାରୀ

ରାଜ୍ୟରେ ଘରୋଇ ବସ୍ ମାଲିକଙ୍କ ମନମାନି ଏବେ ସୀମା ଟପିଛି। ପରିବହନ ବିଭାଗର ନିୟମକୁ ବେଖାତିର କରି ଯାତ୍ରୀଙ୍କଠାରୁ ଶୋଷଣ କରାଯାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ବସରେ ‘ରେଟ୍ ଚାର୍ଟ’ ମାରିବା ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା, ଅଧିକାଂଶ ବସ୍‌ରେ ଏହାର ଚିହ୍ନବର୍ଣ୍ଣ ନାହିଁ। ଯାହାର ସୁଯୋଗ ନେଇ କଣ୍ଡକ୍ଟର ଓ ମାଲିକମାନେ ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଅସୁଲ କରୁଛନ୍ତି। ସଡ଼କ ପଥରେ ଯାତାୟାତ ପାଇଁ ବସ୍ ଉପରେ ହଜାର ହଜାର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଏହି ଭରସାର ସୁଯୋଗ ନେଉଛନ୍ତି ଘରୋଇ ବସ୍ ମାଲିକ।

ଅନେକ ରୁଟ୍‌ରେ ଧାର୍ଯ୍ୟ ଭଡ଼ାଠାରୁ ୨ ରୁ ୩ ଗୁଣା ଅଧିକ ଟଙ୍କା ଦାବି କରାଯାଉଛି। ଯାତ୍ରୀମାନେ ଯେପରି ପ୍ରକୃତ ଦର ଜାଣିପାରିବେ ନାହିଁ, ସେଥିପାଇଁ ବସ୍ ଭିତରେ ରେଟ୍ ଚାର୍ଟ ଲଗାଯାଉନାହିଁ। ନିକଟରେ ପରିବହନ ବିଭାଗ ୫ଟି ଅନ୍ତଃରାଜ୍ୟ ବସକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲେ ସୁଦ୍ଧା, ମାଲିକଙ୍କ ମନମାନି କମିବାର ନାଁ ନେଉନାହିଁ। ଏହି ଘଟଣାକୁ ନେଇ ପରିବହନ ବିଭାଗ ଅତିରିକ୍ତ କମିସନର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ,”ନିୟମ ଅନୁଯାୟୀ ପ୍ରତି ବସ୍‌ରେ କିଲୋମିଟର ପିଛା ରେଟ୍ ଚାର୍ଟ ଲଗାଇବା ଜରୁରୀ। ଯଦି ଆଗକୁ କୌଣସି ବସ୍ ମାଲିକ ଏଥିରେ ଖିଲାପ କରନ୍ତି କିମ୍ବା ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନିଅନ୍ତି, ତେବେ ଲାଇସେନ୍ସ ରଦ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନେକ ସମୟରେ ଯାତ୍ରୀମାନେ ସଠିକ୍ ସୂଚନା ନଥିବାରୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଭଡ଼ା ତାଲିକା ବିଷୟରେ ଜାଣିବା ଏବଂ ଅଧିକ ଭଡ଼ା ମାଗିଲେ ତୁରନ୍ତ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।