
ବ୍ରହ୍ମପୁର ସହରରେ ଗତ ରାତିରେ ଏକ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ପାଖାପାଖି ଅନେକ ଘରକୁ କ୍ଷତି ପହଞ୍ଚିଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ନିମାଖାଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ବୋରିଗାଁ ବଡବନ୍ଧ ସାହିର ପ୍ରଫୁଲ ରାଉଳଙ୍କ ଘରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗତ ରାତି ପ୍ରାୟ ୧୦ଟା ୩୦ମିନିଟରେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ଘଟିଥିଲା। ପୀଡ଼ିତ ଜଣଙ୍କ ଯେତେବେଳେ ରୋଷେଇ ପାଇଁ ଗ୍ୟାସ ଅନ କରିଥିଲେ ସେହି ସମୟରେ ଗ୍ୟାସ ଲିକ୍କ ହୋଇ ବିସ୍ଫୋରଣ ହୋଇଥିଲା, ଏହାର ପ୍ରଭାବରେ ଘରର କାନ୍ଥ ଭାଙ୍ଗିଯାଇଥିଲା ଓ ଆଖପାଖରେ ଥିବା କିଛି ଘରରେ ମଧ୍ୟ ଫାଟ ପଡ଼ିଥିଲା।
ଘଟଣାବେଳେ ଘର ଭିତରେ ଥିବା ବ୍ୟକ୍ତି ଗୁରୁତର ଭାବେ ଦଗ୍ଧ ହୋଇଥିଲେ। ପୀଡ଼ିତଙ୍କ ଛଡା ଅନ୍ୟ କେହି ପରିବାର ଲୋକ ଘରେ ନଥିଲେ। ଶବ୍ଦ ସୁଣି ପଡ଼ୋସୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ MKCG ମେଡିକାଲକୁ ନେଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ TPCODL ଟିମ୍ ସ୍ଥଳରେ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରେ ଗ୍ୟାସ ଲିକ୍ କିମ୍ବା ଅନ୍ୟ କିଛି ତ୍ରୁଟି ହେତୁ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି।