ଗୋଲାପ ବିକ୍ରି ଆଳରେ ନାବାଳିକା ସହ ଦୁଷ୍କର୍ମ

ଦିଲ୍ଲୀର କାରୋଲ ବାଗ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ସିଗନାଲ ନିକଟରେ ଗୋଲାପ ଫୁଲ ବିକ୍ରି କରୁଥିବା ଏକ ୧୧ ବର୍ଷୀୟ ନାବାଳିକାକୁ ଜଣେ ଇ-ରିକ୍ସା ଚାଳକ ଠକେଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି |
ପୁଲିସର ତଦନ୍ତ ଅନୁଯାୟୀ , ଜାନୁଆରୀ ୧୧ ତାରିଖ ଅପରାହ୍ଣ ୩ଟା ୩୦ ସମୟରେ ପ୍ରସାଦ ନଗର ଟ୍ରାଫିକ ସିଗନାଲ ନିକଟରେ ଏହି ଘଟଣା ଘଟିଥିଲା | ୪୦ ବର୍ଷୀୟ ଇ-ରିକ୍ସା ଚାଳକ ଦୁର୍ଗେଶ ନାବାଳିକାଟିକୁ ଫୁଲ ବିକ୍ରି କରିଦେବା ଆଳ ଦେଖାଇ ନିଜ ରିକ୍ସାରେ ବସାଇ ନେଇଥିଲା। ପରେ ସେ ନିକଟସ୍ଥ ଏକ ଜଙ୍ଗଲାଞ୍ଚଳକୁ ନେଇ ଦୁଷ୍କର୍ମ କରିଥିଲେ | ବାଳିକାଟି ଅଚେତ ହୋଇଯାଇଥିବାର ଦେଖି ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା | ଯେଉଁ ଟ୍ରାଫିକ ପୋଷ୍ଟ ନିକଟରୁ ଝିଅଟିକୁ ନେଇଥିଲା ସେଠାରେ ଅଚେତ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲା ଅଭିଯୁକ୍ତ । ପରେ ହୋସ୍ ଆସିବା ପରେ ନାବାଳିକା ବହୁ କଷ୍ଟରେ ଘରେ ପହଞ୍ଚିଥିଲା |

ଘଟଣା ବିଷୟରେ ଜାଣିବା ପରେ ପରିବାରଲୋକ ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଯାଇଥିଲେ | ତାହାପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ପୁଲିସ୍‌ ଏହି ମାମଲାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଇ-ରିକ୍ସା ଚାଳକକୁ ଗିରଫ କରିଛି। ଘଟଣାକୁ ନେଇ ତଦନ୍ତ ଜାରିରହିଛି | ଏହି ଘଟଣା ପରେ ସହରରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁନର୍ବାର ପ୍ରଶ୍ନ ଉଠିଛି |