
ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପଶ୍ଚିମ ମିଡିଆ ନେଟୱାର୍କ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ନିର୍ମାଣ ହେବାକୁ ଥିବା ପ୍ରଥମ ୱେବ୍ସିରିଜ୍ ‘ଗୁଦନି’ର ଶୁଭ ମହୁରତ ସୁରେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଅଧ୍ୟକ୍ଷ ଶୁଭାଶିଷ ରଥଙ୍କ ସହ କମ୍ପାନୀ ନିର୍ଦ୍ଦେଶକ ଶିବରାମ ମହାପାତ୍ର, ଧରଣୀଧର ମିଶ୍ର ଓ ଗଣପତି ବାଘ ଉପସ୍ଥିତ ରହି ‘ପଶ୍ଚିମ’ ଆଭିମୁଖ୍ଯ ସଂପର୍କରେ ଆଲୋକପାତ କରିଥିଲେ । ତେବେ ପଶ୍ଚିମ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ଓଟିଟି ପ୍ଲାଟଫର୍ମ ଯେଉଁଥିରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ନ୍ୟୁଜ ମଧ୍ୟ ପ୍ରସାରଣ ହେବ ବୋଲି ଶୁଭାଶିଷ ସୂଚନା ଦେଇଥିଲେ । ୱେବ୍ସିରିଜ ‘ଗୁଦନି’ର ନିର୍ଦ୍ଦେଶକ ଅଛନ୍ତି ନାଟ୍ୟଶ୍ରୀ ଗଦାଧର ବାରିକ । ‘ଗୁଦନି’ ଜନଜାତିଙ୍କ ଲୁକ୍କାୟିତ କଳା ଓ ଜୀବନଦର୍ଶନ ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ କହିଥିଲେ ।
ପଶ୍ଚିମ ଓଡିଶାର ୫୦ ଜଣ କଳାକାର ଏଥିରେ ଅଭିନୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ । ‘ଗୁଦନି’ର ମୁଖ୍ୟ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତା ଜଗନ୍ନାଥ ସେଠ । ପଶ୍ଚିମ ଓଡିଶାର ଗାଁ ଗହଳିର କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ସେ ପଶ୍ଚିମ ମିଡିଆ ନେଟୱାର୍କ ପ୍ରାଇଭେଟ ଲିମିଟେଡର ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ । ସକାରାତ୍ମକ ମନରେ କାମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଶିକ୍ଷାବିତ୍ ଗତିକୃଷ୍ଣ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ । ଏହି ୱେବସିରିଜର ସଂଳାପ ବବଲୁ ବାଘ ଲେଖିଥିବା ବେଳେ ଡିଓପି ଗୋପାଳ ପ୍ରଧାନ ରହିଛନ୍ତି । ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ ନିର୍ଦ୍ଦେଶନାରେ ଗୀତ ଗୁଡିକ ଖୁବ୍ ମନଛୁଆଁ ହୋଇଛି । ଏକ ପ୍ରମୁଖ ଭୂମିକାରେ କଂସ ମହାରାଜ ସୁଶୀଳ ମେହେର ମଧ୍ୟ ଅଭିନୟ କରୁଛନ୍ତି ।
ପଶ୍ଚିମ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରୁ ସୁଟିଂ ଆରମ୍ଭ ହୋଇଛି । ତେବେ ଆଉ ଏକ ମେଗା ୱେବସିରିଜ, ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ରିଅଲିଟି ସୋ’ର ନିର୍ମାଣ ଆରମ୍ଭ ହୋଇଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।