କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ବିଶ୍ୱପ୍ରସିଦ୍ଧ ଗହୀରମଥା ବେଳାଭୂମିରେ ଏବର୍ଷ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇପାରି ନାହିଁ। ମାର୍ଚ୍ଚ ମାସ ଶେଷ ହେବାକୁ ଥିଲେ ମଧ୍ୟ ଲକ୍ଷାଧିକ କଇଁଛ ସମୁଦ୍ର କୂଳରୁ ମାତ୍ର ୫୦୦ ମିଟର ଦୂରରେ ଅପେକ୍ଷା କରି ରହିଛନ୍ତି।କଇଁଛମାନେ ସାଧାରଣତଃ ବାଲି ଗରମ ଥିଲେ ଏବଂ ଦକ୍ଷିଣା ପବନ ବହିଲେ ଅଣ୍ଡା ଦେବାକୁ କୂଳକୁ ଆସନ୍ତି। ଗତ କିଛି ଦିନ ହେବ ବର୍ଷା ଓ ମେଘୁଆ ପାଗ ଯୋଗୁଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରୁ ନାହିଁ। ନାସୀ-୧, ନାସୀ-୨, ସାତଭାୟା ଏବଂ ହବାଳିଖଟି ଭଳି ଅଞ୍ଚଳରେ ୩୫୦ରୁ ଅଧିକ କଇଁଛ ଅଣ୍ଡା ଦେଇଛନ୍ତି। ଅସ୍ଥାୟୀ ହାଚେରିରେ ରଖାଯାଇଥିବା ଅଣ୍ଡାରୁ ଗତ ୨୩ ତାରିଖରୁ ଶାବକ ବାହାରିବା ଆରମ୍ଭ ହୋଇଛି।

ବାବୁବାଲି ଓ ଏକକୂଳା ବସାରୁ ବାହାରିଥିବା ଶାବକମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛଡ଼ାଯାଇଛି। ୨୦୦୮ରେ ୩ହଜାର ୧୨୧ କଇଁଛ ଅଣ୍ଡା ଦେଇଥିଲା ବେଳେ ୨୦୧୪ରେ କେବଳ ୫୨୫ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହି ଦୁଇ ବର୍ଷ ଲକ୍ଷାଧିକ କଇଁଛ କୂଳରେ ଥିଲେ ମଧ୍ୟ ଅଣ୍ଡା ଦେବାକୁ ଆସି ନ ଥିଲେ। ସେହିପରି ୨୦୨୦ରେ ମାର୍ଚ୍ଚ୨୦, ୨୦୨୧ରେ ମାର୍ଚ୍ଚ ୨୪, ୨୦୨୨ରେ ମାର୍ଚ୍ଚ୨୫, ୨୦୨୩ରେ ମାର୍ଚ୍ଚ ୯, ୨୦୨୪ରେ ଏପ୍ରିଲ୍୨ ଓ ୨୦୨୫ରେ ମାର୍ଚ୍ଚ ୫ତାରିଖରେ ଗଣଅଣ୍ଡାଦାନ ହୋଇଥିଲା । ହେଲେ, ଚଳିତବର୍ଷ ବିକ୍ଷିପ୍ତ ଅଣ୍ଡାଦାନରୁ ଛୁଆ ବାହାରି ସମୁଦ୍ରକୁ ଯାଇଥିଲା ବେଳେ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଏବଂ ମାର୍ଚ୍ଚ ମାସରେ ବର୍ଷାପାଗ ଯୋଗୁଁ ଗଣଅଣ୍ଡାଦାନ ହୋଇ ନ ଥିବା ଜଣାପଡ଼ିଛି । ବାଲି ଗରମ ଥିଲେ ଏବଂ ଗରମ ପବନ ସହ ଦକ୍ଷିଣା ପବନ ବହିଲେ କଇଁଛମାନେ ଗଣଅଣ୍ଡାଦାନ କରିଥା’ନ୍ତି। ହେଲେ କିଛିଦିନ ହେଲା ମେଘୁଆ ପାଗ ଥିବାରୁ କଇଁଛମାନେ ଅଣ୍ଡା ଦେବାକୁ ଆସୁ ନ ଥିବା ଜଣାଯାଇଛି ।