କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଅନ୍ତର୍ଗତ ଆଗର୍ଦା ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ମଙ୍ଗଳବାର ଅପରାହ୍ନ ସମୟରେ ପାଖ ଅଞ୍ଚଳର କିଛି ଯୁବକ ମର୍ଣ୍ଣିଙ୍ଗ ୱାକ୍ ପାଇଁ ଯାଉଥିବା ବେଳେ ଖେଳ ପଡିଆ ପାଖରେ ଏକ ଗଛ ମୂଳରେ ମୃତ ଦେହ ପଡ଼ିଥିବା ଦେଖି ପାଖ ଫାଣ୍ଡିକୁ ଖବର ଦେଇଥିଲେ |

ଖବର ପାଇଁ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ | ସୂଚନା ଅନୁଯାୟୀ ମୃତ ଯୁବକ ହେଲେ ରାମଚନ୍ଦ୍ରପୁର ଥାନା ନହଙ୍ଗି ଗ୍ରାମର ସୁଦର୍ଶନ ପେରେଇ |

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୁଦର୍ଶନ କିଛି ଦିନ ହେବ ଆଗର୍ଦା ଗ୍ରାମରେ ନିଜ ପତ୍ନୀ ଖୁନୁ ପେରେଇଙ୍କ ସହ ରହୁଥିଲେ | ଗତ ଏକ ମାସ ହେବ ସେ ଘରକୁ ଯାଉନଥିଲେ |



ଦୁଇ ଦିନ ପୂର୍ବରୁ ସୁଦର୍ଶନଙ୍କ ଦେହ ଅସୁସ୍ଥ ଥିବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ | ସ୍ଥାନୀୟ ଲୋକେ ସୁଦର୍ଶନକୁ ନେଇ ସାଇଁକୁଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସୁଦର୍ଶନଙ୍କ ମୃତ ଶରୀରରେ ମଧ୍ୟ ଡାହାଣ ହାତରେ ସାଲାଇନ ଛୁଞ୍ଚି ଲାଗିଛି | ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି |