ଖଣ୍ଡଗିରି କୁମ୍ଭମେଳା ୨୦୨୬ ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ

ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳା ୨୦୨୬କୁ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୂଲ୍ୟରେ ହିନ୍ଦୁସ୍ତାନ କୋକାକୋଲା ଏବଂ ଓଡ଼ିଶା ଡେଭଲପ୍ମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (ଓଡ଼ିଏମପି)ର ମିଳିତ ଉଦ୍ୟମରେ “ବ୍ୟବହୃତ ପ୍ଲାଷ୍ଟିକ ବୋତଲମୁକ୍ତ ଖଣ୍ଡଗିରି ମେଳା” ଅଭିଯାନ କାର୍ଯ୍ୟକାରୀ କରାଯାଇଛି।

ଏହି ଅଭିଯାନ ଅନ୍ତର୍ଗତ ୨୫ ଜାନୁଆରୀ ୨୦୨୬ ଠାରୁ ୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳା ପରିସରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ ପାଇଁ ୮୦ ଜଣ ସଫେଇ ସାଥିଙ୍କୁ ନିୟୋଜିତ କରାଯାଇଛି। ମେଳା ପରିସରକୁ ସ୍ୱଚ୍ଛ ଏବଂ ପରିବେଶ-ମୁ ହାଁ ରଖିବା ସହ ପ୍ଲାଷ୍ଟିକ ଦୂଷଣ କମେଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

ଏହି ଅଭିଯାନର ଉଦ୍ଘାଟନ କରି ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଚଞ୍ଚଳ ରଣା କହିଥିଲେ ଯେ, ମେଳାରୁ ସଂଗ୍ରହ କରାଯାଉଥିବା ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଠିକ ଭାବେ ପୃଥକ କରି ପୁନଃଚକ୍ରଣ (ରିସାଇକ୍ଲିଂ) କରାଯିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଥିଲେ ଏପରି ବୃହତ୍ ଆୟୋଜନକୁ ପ୍ଲାଷ୍ଟିକମୁକ୍ତ କରିବା ସମ୍ଭବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ମିଶ୍ରି ରତ୍ନାକର ସାହୁ ଓ କେ.ସି. ଦାସ, ଜୋନାଲ କମିଶନର ଶ୍ରୀ ରାକେଶ ପତ୍ର, ହିନ୍ଦୁସ୍ତାନ କୋକାକୋଲା ପକ୍ଷରୁ ଶ୍ରୀଯୁକ୍ତ ମିଳନ ଲେଙ୍କା ଏବଂ ଓଡ଼ିଏମପିର ଆବାହକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସଫେଇ ସାଥି ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଏମପିର ସଂଯୋଜକ ଶ୍ରୀ ଶିବାଶିଷ ମହାପାତ୍ରଙ୍କ ନେତୃତ୍ୱରେ ବିଷ୍ଣୁପ୍ରସାଦ ମିଶ୍ର, ନରେଶ କୁମାର ଦାସ, ଗଜଲ ରେୟାନ, ସରୋଜ ବେହେରା ଓ ରମାକାନ୍ତ ଚିନରା ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ। ପ୍ଲାଷ୍ଟିକମୁକ୍ତ ଖଣ୍ଡଗିରି କୁମ୍ଭମେଳା ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ସ୍ୱଚ୍ଛ ଓ ସୁସ୍ଥ ମେଳା ଆୟୋଜନ ପାଇଁ ଏକ ସକାରାତ୍ମକ ସନ୍ଦେଶ ଯାଇଥିବା ନେଇ ସାଧାରଣ ମହଳରେ ପ୍ରଶଂସା ହେଉଛି।