ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଖାତା ଖୋଲିଲା

ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଲେଫ୍ରିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ଲାକଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସମ୍ମାନିତ ଅତିଥି ଭାବେ ହରିହର ଦାସ, ସିଆରସିସି ରମାକାନ୍ତ ପଟେଲ, ନଳିନୀ ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ । ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ଦିବ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଏବଂ ଗୋଷ୍ଠି ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ କରାଯିବାର ଲକ୍ଷ ଉପରେ ଆଲୋକପାତ କରିଥିଲେ ।

ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ନୂତନ ଶିକ୍ଷା ନୀତି – ୨୦୨୦ ଅନୁଯାୟୀ ନୂତନ କରି ଶିକ୍ଷା ଆରମ୍ଭ କରିବାକୁ ଥିବା ପିଲା ମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା ଆରମ୍ଭ ହୋଇଛି । ଏଥିରେ ପିଲା ମାନଙ୍କୁ ଏକ ଉତ୍ତମ, ସଙ୍ଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସୁସଜ୍ଜିତ ରଥକୁ ସ୍ଵାଗତ ଜଣାଇବା ସହ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ ।

ଏହି ସଚେତନ ରଥ ବ୍ଲକର ବିଭିନ୍ନ ଗାଁ ପରିଭ୍ରମଣ କରି ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ୟାମାରାଣୀ ଦଣ୍ଡସେନା , ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ , କନକ ନାଏକ, ନୃପରାଜ୍ ନାଏକ, ଯୋଗେଶ ଆଗୁଆନ, ଆଲୋକ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।