ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ କେନ୍ଦ୍ରାପଡ଼ାରେ ହେଉଥିବା ଓଁକାର ପୀଠ ଓଳକଣା ମେଲଣ ଓଡ଼ିଶା ପ୍ରସିଦ୍ଧ । କାହିଁ କେଉଁ କାଳରୁ ଏଠାରେ ମେଳଣ ଯାତ୍ରା ହୋଇଆସୁଛି ।






ଏହାର ବିଶେଷତ୍ବ ହେଉଛି ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ । ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର । ଅନ୍ୟ ପଟେ ଭଗବାନ ଶ୍ରୀକୃଷ୍ଣ ‘ହରି’ ଏବଂ ମହାଦେବ ‘ହର’ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ ‘ହରିହର’ ମେଳଣ ମଧ୍ୟ କୁହାଯାଇଥାଏ ।






ପୁରାଣ ବର୍ଣ୍ଣିତ ବିଦୁର ଗାଦି ପୀଠରେ ଶ୍ରୀକୃଷ୍ଣ ଓ ବଡ଼ ଠାକୁର ବଳରାମ, ହରି ଓ ହର ଙ୍କ ବିମାନ ଏକତ୍ରିତ ହୋଇ ହରିହର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ି ମାନେ ଆପଣା ଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣି ଏବଂ ଆତସବାଜି ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନ ଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା । ୨୫୬ ବିମାନ ଓଳକଣା ମେଳଣରେ ଏକତ୍ରିତ ହୋଇଥାନ୍ତି ।






ରଘୁଦେଇପୁର ରାଜନଗର ଗ୍ରାମରୁ ଓ ଡେରାବିଶରୁ ଆଳି ରାଜାଙ୍କ ଦୁଇଟି ବିମାନରେ ରାଧା କୃଷ୍ଣ ଓ ଲଷ୍ମୀ ପ୍ରଥମେ ମେଳଣ ପଡିଆକୁ ଆସିବା ପରେ ଅନ୍ୟ ସମସ୍ତ ବିମାନ ମେଳଣ ପଡିଆକୁ ଆସିଥାନ୍ତି । ଭଜନ କୀର୍ତ୍ତନ ସମାବେଶ ମଧ୍ୟ ରେ ମେଳଣ ଆରମ୍ଭ ହୋଇଥାଏ ।







ପାଖାପାଖି ୨୦ ରୁ ୩୦ ହଜାର ଭକ୍ତଙ୍କ ସମାବେଶ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଶାଗ ଭଜା ସହ ମାନସିକ ଭୋଗ ଖାଇଥାନ୍ତି ବିମାନ ବିରାଜିତ ଠାକୁର ।
ପରେ ବୀର ଭଦ୍ରେଶ୍ଵର ମହାଦେବଙ୍କ ଆଜ୍ଞାମାଳ ପାଇ ବଳଦେବ ଜୀଉ ହର ରୂପେ ମେଳଣ ପଡିଆକୁ ଆସିବା ପରେ ମେଳଣ ଶେଷ ହୋଇଥାଏ । ମେଳଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ ।
ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଡେରାବିଶ ଓ ମାହାଙ୍ଗା ଥାନା ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରଯାଇଛି ।