କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ ।