ରାମଚନ୍ଦ୍ରପୁର ଥାନା ଅଧିନ ଜଳସୁଆଁ ଗ୍ରାମର ପଣ୍ଡୁଆ ତୋଟା ଘାଟ ନିକଟରେ ଜଣେ ବୃଦ୍ଧା ନଦୀରେ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଅନୁସାରେ, ଉକ୍ତ ଗ୍ରାମ କୁମ୍ଭାରସାହିର ଲଷ୍ମୀ ରଣା ସକାଳ ସମୟରେ କୁସେଇ ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟାହ୍ନ ସମୟରେ କୁସେଇ ନଦୀର ପଣ୍ଡୁଆ ତୋଟା ଘାଟ ନିକଟରେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ ।

ପରେ ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।