କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

ସମ୍ପ୍ରତ୍ତି ପିପିଲିରେ ଦେଖାଦେଇଥିବା କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଥିବାବେଳେ ପଶୁପାଳନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଭେଟରନାରୀ ଅଫିସର ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରୁଥିଲେ ମଧ୍ୟ କାରଣ ଓ ନିରାକରଣ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ, ମଲା କୁକୁଡ଼ାକୁ ନେଇ ଚିନ୍ତାରେ ଚାଷୀ । ଅଧିକାଂଶ କୁକୁଡ଼ା ଫାର୍ମ ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ବଢୁଛି ଅଜଣା ଭୟ । ଏଣୁ, କୁକୁଡ଼ା ମୃତ୍ୟୁ ଜନିତ କ୍ଷତି ସହିବାପରେ ମଧ୍ୟ ହାତରୁ ଟଙ୍କା ଖର୍ଚ୍ଚକରି ଟ୍ରାକ୍ଟର ଲଗାଇ ଜନବସତିଠାରୁ ଦୂରରେ ଚାଷୀ ପୋତୁଛନ୍ତି କୁଢ଼ କୁଢ଼ ମଲା କୁକୁଡ଼ା ।

ଶୁକ୍ରବାର ଦିନ ସୂଚନାଟିଭି ଏ ଘଟଣାକୁ ଲୋକଲୋଚନ ତଥା ସରକାରଙ୍କ ନଜରକୁ ଆଣିବା ପାଇଁ ପିପିଲି ବ୍ଲକର ବରାଗଡ଼ ଓ ଗୋକନ ଗ୍ରାମ ଗସ୍ତ କରିଥିଲା । ‘ଗ୍ରାଉଣ୍ଡ ଜିରୋ’ରେ ପହଂଚିବା ପରେ ଆମେ ଜାଣିବାକୁ ପାଇଲୁ ସେହି ଅଂଚଳରେ ଦୁଇଟି କମ୍ପାନୀ — ଇଷ୍ଟର୍ନ ହାଚେରୀ ଓ ପଶୁପତି ତରଫରୁ ଫାର୍ମମାନଙ୍କୁ କୁକୁଡ଼ା ଚିଆଁ ଓ ଦାନା ଯୋଗାଇ ଦିଆଯାଉଛି । ଏ ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର କୁକୁଡ଼ା ମରୁଥିବା କଥା ସାମ୍ନାକୁ ଆସୁଛି । ତେବେ, କାହିଁକି ଓ କେଉଁ ତ୍ରୁଟି ଯୋଗୁ କ୍ରମାଗତ ଭାବରେ କୁକୁଡ଼ା ମରୁଛନ୍ତି ତାହା ନିରପେକ୍ଷ ପରୀକ୍ଷା ହେଲେ ଜଣାପଡିବ । ତେବେ, କୁକୁଡ଼ା ମୃତ୍ୟୁଜନିତ କ୍ଷତି ଭରଣା କରିବାକୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ କିଛି ଚାଷୀ ସେମାଙ୍କର କୌଣସି କ୍ଷତି ହୋଇନାହିଁ ଓ ସେମାନଙ୍କ ପାଇଁ କ୍ଷତି ପୁରଣର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

କୁହାଯାଉଛି, କ୍ଷତିପୂରଣ ଚାହୁଁଥିବା ଚାଷୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବାବେଳେ, ଅନ୍ୟ ଚାଷୀମାନେ ସେମାନଙ୍କର ସେମାନଙ୍କ ବ୍ୟବସାୟ ହାନି ହେବା ଭୟରେ କ୍ଷତିପୂରଣ ଚାହୁଁନାହାନ୍ତି । କେହି କେହି ଚାଷୀ କମ୍ପନିଠାରୁ କ୍ଷତିପୂରଣ ପାଇବା ଆଶାରେ ସରକାରୀ ସହାୟତା ନେବାକୁ ସିଧା ମନା କରିଦେଇଛନ୍ତି ।

ତେବେ, ପଶୁ ପାଳନ ବିଭାଗ ତରଫରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଗଲେ କୁକୁଡ଼ା ମଡ଼କରେ ଅଙ୍କୁଶ ଲାଗିପାରନ୍ତା ଓ ଚାଷୀ ଆଶ୍ୱସ୍ତ ହୁଅନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ମାତ୍ର ଆଠ ମାସ ତଳେ ଏହି ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଥିଲା ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା ।