କୁକଡ଼ା ଫାର୍ମ ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ | ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା,ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ନିକଟରେ ।
ମତୋ – ମାଧପୁର ରାସ୍ତା ପାର୍ଶ୍ୱରେ ଅଜୟ କୁମାର ଗିରି ଓ ଶୁଭ୍ରାଂଶୁ ସ୍ବାଇଁ ଦୁଇ ଜଣ ଏକ କୁକୁଡ଼ା ଫାର୍ମ ନିର୍ମାଣ କରିଥିଲେ । ଗତକାଲି ଅଜୟଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି ।
ଯାହାକୁ ନେଇ ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଜୟଙ୍କ ଭଣଜା ଚନ୍ଦନ କୁମାର ଦେ । ତାଙ୍କର ଅଭିଯୋଗ ମୁତାବକ ତାଙ୍କ ମାମୁଁଙ୍କ କୁକୁଡ଼ା ଫାର୍ମ ପାର୍ଟନର ଶୁଭ୍ରାଂଶୁ ଆଜି ସକାଳେ ଫୋନ କରି , ତୁମ ମାମୁଁ ସିସି କ୍ୟାମେରା ସଜାଡୁ ଥିବା ବେଳେ ଖଟ ଉପରେ ପଡି ମୁଣ୍ଡ ଫାଟି ଯାଇଛି ଏବଂ ତାଙ୍କର ଅବସ୍ଥା ଖରାପ ଅଛି ବୋଲି କହିଥିଲେ । ତାଙ୍କୁ ଆମେ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରିଛୁ ,ତୁମେ ଆସି ଦେଖା କର । ଆମେ ଚାନ୍ଦବାଲି ଡାକ୍ତର ଖାନାରେ ପହଞ୍ଚି ମାମୁଁ ମୃତ ବୋଲି ଦେଖିବାକୁ ପାଇଥିଲୁ ।
ଅଜୟଙ୍କ ମୁହଁ ଏବଂ ମୁଣ୍ଡରେ କିଛି ଆଘାତ ଲାଗିଥିଲା ,ଯାହାକୁ ଦେଖି ପରିବାର ଲୋକେ ଏହାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମାତ୍ର ତାଙ୍କର ପାର୍ଟନର ଶୁଭ୍ରାଂଶୁ ଏବଂ ସେଠାରେ ଥିବା କର୍ମଚାରୀ ମାନେ ଏହାକୁ ଦୁର୍ଘଟଣା ବୋଲି କହିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ମତୋ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।