କିନ୍ନରଙ୍କୁ ବାହାହେଲେ ଯୁବକ

ଇନଷ୍ଟାଗ୍ରାମରେ ଚିହ୍ନା ପରିଚୟ । ଚାଟିଂ କରୁ କରୁ କିନ୍ନରଙ୍କ ପ୍ରେମରେ ପଡିଗଲେ ପାଟନାର ରବି କୁମାର । ଇନଷ୍ଟାରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ନିବିଡ ହେଲା । ପରିବାର, ସମାଜକୁ ଖାତିର ନକରି ମନ୍ଦିରରେ ପ୍ରେମିକା ଆଧିକାଙ୍କୁ(କିନ୍ନର) ବିବାହ କଲେ । ହେଲେ ଏହି ନିଆରା ଲଭଷ୍ଟୋରୀରେ ଏବେ ଭିଲିଆନ ସାଜିଛନ୍ତି ରବିଙ୍କ ଘର ଲୋକେ । କିନ୍ନରଙ୍କୁ ବୋହୂ ଭାବେ ଗ୍ରହଣ ତ କରୁନାହାନ୍ତି ଓଲଟା ପୁଅକୁ ମାରପିଟ୍ କରିବା ସହ ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚୁଛନ୍ତି । ଯାହାଫଳରେ ହତାଶ ହୋଇ ଶେଷରେ ନିଜର ପତ୍ନୀଙ୍କୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ରବି ।

ବିହାର ରାଜଧାନୀ ପାଟନା ଅନ୍ତର୍ଗତ ଆର୍ଯ୍ୟ ସମାଜ ରୋଡ ଅଞ୍ଚଳରେ ରହୁଥିବା ରବି ଦରଭଙ୍ଗା ଅଞ୍ଚଳର ଟ୍ରାନ୍ସଜେଣ୍ଡର ଆଧିକା ଚୌଧୁରୀଙ୍କ ସହ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ହୋଇଥିଲେ । ୨ ବର୍ଷରେ ଦୁହିଁଙ୍କ ସମ୍ପର୍କ ପ୍ରେମର ରୂପ ନେଇଥିଲା । ଜନ୍ମ ଜନ୍ମର ସାଥି ହେବାକୁ କଥା ଦେଇ ଚଳିତ ବର୍ଷ ଜୁନ ୨୫ରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ଏହାପରେ ରବି ନିଜ ପତ୍ନୀଙ୍କୁ ନେଇ ଘରକୁ ଯାଇଥିଲେ । କିନ୍ତୁ ଘର ଲୋକେ ତାଙ୍କୁ ଧମକ ଚମକ ଦେବା ସହ ମାରପିଟ୍ କରିଥିଲେ ।

ଯାହାକି ରବି ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ରବି ନିଜ ବାପା, ମାଆ ଓ ବଡ ଭାଇ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ”ଘର ଲୋକେ ଆମ ବିବାହକୁ ଗ୍ରହଣ କରୁନାହାନ୍ତି । ଭାଇ ମୋତେ ଧମକ ଦେଉଛନ୍ତି । ବାପାମାଆ ବି ମାରପିଟ୍ କରୁଛନ୍ତି । ମୋ ପତ୍ନୀଙ୍କୁ କିନ୍ନର ଶବ୍ଦ କହି ଅପମାନ କରୁଛନ୍ତି । ମିଛ କେସରେ ଫସାଇବାକୁ ଧମକାଉଛନ୍ତି ।

ଏମିତିକି ଦୁହିଁଙ୍କୁ ଅପହରଣ କରି ଜୀବନରୁ ମାରିଦେବାକୁ ବି ଷଡଯନ୍ତ୍ର ରଚୁଛନ୍ତି । ଆଧିକା ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ତାଙ୍କୁ ୬୦ ଲକ୍ଷ ଟଙ୍କା ଯୌତୁକ ମାଗୁଛନ୍ତି । ତୁ ଆମ ସମାଜର ନୁହେଁ ବୋଲି କହି ହତ୍ୟା ଧମକ ଦେଉଛନ୍ତି । ଗତ ୧୩ ତାରିଖରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଗ୍ୟବଶତଃ ସେ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ।

Leave a Reply

Your email address will not be published. Required fields are marked *