
ଓପିଟିସିଏଲ ପ୍ରକଳ୍ପକୁ ନେଇ ଉତ୍ତେଜନା। ସରକାର ତଥା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ସର୍ବସ୍ବାନ୍ତ କରିବାକୁ ମସୁଧା କରୁଥିବା ହେଉଛି ଅଭିଯୋଗ। ଜନଶୁଣାଣିରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ କରି ପ୍ରକଳ୍ପ କାମ ଆରମ୍ଭକୁ ବିରୋଧ କରୁଛନ୍ତି ଲୋକେ। ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଇବ୍ରିସିଂ ପଞ୍ଚାୟତବାସୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜ।
ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ଗ୍ରାମ ପିପଳ ଦଣ୍ଡାରେ ଓ.ପି.ଟି.ସି.ଏଲ ପକ୍ଷରୁ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯିବାକୁ ଲୋକେ ବିରୋଧ କରୁଛନ୍ତି। ସେମାନଙ୍କ ମୁତାବକ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ତିର୍ତ୍ତୋଲ ତହସିଲଦାରଙ୍କ ପକ୍ଷରୁ ୨୦୨୧ ମସିହାରେ ପ୍ରକଳ୍ପ ପାଇଁ ଯାଆଁବେଡୁଆଁ ଗ୍ରାମରେ ଜନଶୁଣାଣୀ କରାଯାଇଥିଲା। ଏଥିରେ ସ୍ଥାନୀୟ ଲୋକେ ଦାବି କରିଥିଲେ କି, ଚାଷଜମିକୁ ରାସ୍ତା,ଅଞ୍ଚଳର ଜଳନିଷ୍କାସନ ପାଇଁ ଜମି ଓ ଚାଷୀଙ୍କ ଶସ୍ୟ ଅମଳ ପାଇଁ ଖଳା ଜମି ସହ ପ୍ରକଳ୍ପ ନିର୍ମାଣରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ। ସବୁ ଦାବି ପୂରଣ ହେବ ଓ ଦାବି ପୂରଣ ପରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦାବି ପୂରଣ ନ କରି ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯିବାରୁ ସ୍ଥାନୀୟ ୪-୫ଟି ପଞ୍ଚାୟତର ଚାଷ ଜମି ବର୍ଷା ଋତୁରେ ପାଣିରେ ବୁଡିଯିବ ବୋଲି ଅଭିଯୋଗ ହେଉଛି। ଏପରି ହେବା ଦ୍ବାରା ଲୋକେ ଚାଷ ହରାଇବେ। ଏନେଇ ବାରମ୍ବାର ତହସିଲଦାରଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି।
ଏହି ଗୋଚର ଜମି ଆଖପାଖ ବହୁ ଗାଁର ଗୋରୁ ଗାଈଙ୍କ ଚାରଣରେ ଲାଗୁଥିଲା। କିଛି ସ୍ଥାନୀୟ ଗରିବ ଲୋକେ ଏହାକୁ ବ୍ୟବହାର କରି କିଛି ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରକଳ୍ପ ନିର୍ମାଣ ଦ୍ବାରା ସେମାନଙ୍କ ପେଟ ଅପୋଷା ରହିବ। ଅନ୍ୟପଟେ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆ ନ ଯିବାକୁ ମଧ୍ୟ ଲୋକେ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ପୁରଣ ନହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦିଆଯାଇଛି ଚେତାବନୀ।
ସୂଚନା ଯୋଗ୍ୟ, ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ଗ୍ରାମ ପିପଳ ଦଣ୍ଡାରେ ଓ.ପି.ଟି.ସି.ଏଲ ପକ୍ଷରୁ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ୫୫ନମ୍ବର ଜାତୀୟ ରାଜପଥ ଓ ୧୨ନମ୍ବର କେନାଲକୁ ଲାଗି ଥିବା ପିପଳା ଦଣ୍ଡାର ୫୪ ଏକର ଜମିରେ ଆଠଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ ହେବ। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ୍ ଦ୍ବାରା ଜିଲ୍ଲା ସମେତ ପାରାଦ୍ୱୀପ ଶିଳ୍ପାଞ୍ଚଳକୁ ବିଦ୍ୟୁତ ସରବରାହକୁ ସୁବ୍ୟବସ୍ଥିତ କରାଯିବାକୁ ଯୋଜନା ରହିଛି।