ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

କୋଟିଆ ବିବାଦ ପରେ ଏବେ ଆନ୍ଧ୍ରପ୍ରଦେଶର ନଜର ଓଡିଶା–ଆନ୍ଧ୍ର ସୀମାନ୍ତର ଆଉ ଏକ ସଂବେଦନଶୀଳ ଅଞ୍ଚଳ ଉପରେ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ସୀମାନ୍ତର ଗାଁଗୁଡିକୁ ଧୀରେଧୀରେ ନିଜ କବଜାକୁ ନେଉଥିବା ଅଭିଯୋଗ ଆସିଛି। ପ୍ରଥମେ ଜୁମଡାଙ୍ଗ ଗ୍ରାମ ପରେ ଏବେ ଓଡିଶାର ଦୋରାଗୁଡା ଗାଁ ଆନ୍ଧ୍ର ପ୍ରଭାବରେ ଆସିଥିବା ଚିତ୍ର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଦୋରାଗୁଡା ଗାଁକୁ ଓଡିଶା ପଟୁ ସିଧାସଳଖ ରାସ୍ତା ସଂଯୋଗ ନଥିବା ସୁଯୋଗକୁ ନେଇ ଆନ୍ଧ୍ର ସରକାର ଗାଁଟି ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛି। ଏହା ସହ ଅସ୍ଥାୟୀ ସ୍କୁଲ ଖୋଲି ଓଡିଆ ପିଲାମାନଙ୍କୁ ତେଲୁଗୁ ଭାଷାରେ ପାଠ ପଢ଼ାଯାଉଛି। ଧୀରେଧୀରେ ଓଡିଶାର ଛାତ୍ରଛାତ୍ରୀଙ୍କ ମାତୃଭାଷା ଓଡିଆ ପରିବର୍ତ୍ତେ ତେଲୁଗୁ ହେଉଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

କେବଳ ଶିକ୍ଷା ନୁହେଁ, ଆନ୍ଧ୍ର ସରକାର ପକ୍ଷରୁ ଗାଁଗୁଡିକୁ ମାଗଣା ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସଂଯୋଗ ନଥିବା ସ୍ଥାନରେ ସୋଲାର ଲାଇଟ ଲଗାଇ ସମଗ୍ର ଗାଁକୁ ଆଲୋକିତ କରାଯାଉଛି। ପିଡିଏସ ଚାଉଳ, ଆବାସ ଯୋଜନାରେ ଅର୍ଥ ସହାୟତା ସହିତ ଚିକିତ୍ସାଳୟ ଓ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି, ତାହା ମଧ୍ୟ ଓଡିଶାର ପଟ୍ଟା ଜମି ଉପରେ।

ପୂର୍ବରୁ ଓଡିଶାର ଭୋଟର କାର୍ଡ ଓ ଆଧାର କାର୍ଡ ଥିବା ଅନେକ ଲୋକଙ୍କ ନାମ ଏବେ ଆନ୍ଧ୍ରପ୍ରଦେଶର ଭୋଟର ଓ ଆଧାର ତାଲିକାରେ ଯୋଡ଼ାଯାଇଛି। ଓଡିଶା ପକ୍ଷରୁ ରାସ୍ତା, ବିଦ୍ୟୁତ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନ ପହଞ୍ଚିବାରୁ ଆନ୍ଧ୍ରର ସୁବିଧାକୁ ଆକୃଷ୍ଟ ହୋଇ ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବା ଦେଖାଯାଉଛି ।

ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକାଶ କରିଛି। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ତହସିଲ ଓ ବ୍ଲକ ସ୍ତରର କର୍ମଚାରୀଙ୍କୁ ସମ୍ପୃକ୍ତ ଗାଁଗୁଡିକୁ ପଠାଯାଇ ସ୍ଥିତିର ସଂପୂର୍ଣ୍ଣ ଅନୁଧ୍ୟାନ କରାଯିବ। ଓଡିଶା ସରକାରଙ୍କ ତରଫରୁ ସହାୟତା ଅପହଞ୍ଚ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।