
ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ ।ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ଯାଏଁ ରଘୁବର ଦାସ ଏକମାତ୍ର ନେତା ଭାବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି।ଅପରପକ୍ଷରେ ନାଲୁ ଇନ୍ଦ୍ରସେନା ରେଡ୍ଡୀ ତେଲେଙ୍ଗାନାର ଜଣେ ବିଜେପି ନେତା ଏବଂ ତିନିଥର ବିଧାୟକ ଅଛନ୍ତି। ସେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ପଦବୀରେ ମଧ୍ୟ ରହିଥିଲେ। ଉଲ୍ଲେଖଯୋଗ୍ଯ, ପ୍ରଫେସର ଗଣେଷୀ ଲାଲ ଏବେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଉଥିଲେ ମଧ୍ୟ ନିକଟରେ ତାଙ୍କର କାର୍ଯ୍ୟକାଳ ଅବଧି ଶେଷ ହୋଇଥିଲା। ତେବେ ରଘୁବିର ଦାସ କେବେଠାରୁ ରାଜ୍ୟପାଳ ଦାୟିତ୍ବ ନେବେ ସେ ନେଇ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।