ଏପ୍ରିଲରୁ ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ

ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶାରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି | ଆସନ୍ତା ଏପ୍ରିଲ୍ ମାସରୁ ରାଜ୍ୟରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି | ଏହି ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ କରାଯିବ |

ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ୍ ରୁ ୧୫ ମେ’ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ଘର ତାଲିକାକରଣ (House Listing) ଓ ଗୃହ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ | ଏହା ପୂର୍ବରୁ ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନର ଆତ୍ମଗଣନା (Self Enumeration) ବିକଳ୍ପ ରହିବ | ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରି ରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଜନସଂଖ୍ୟାଗତ ବିବରଣୀ ସହିତ ମୂଳ ଜନଗଣନା କରାଯିବ | ଏହି ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନାଙ୍କ, ସାମାଜିକ ଓ ଆର୍ଥିକ ଅବସ୍ଥା ସଂଗ୍ରହ କରାଯିବ|

ଖବର ଅନୁଯାୟୀ , ୧ ଏପ୍ରିଲ୍ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକାଭୁକ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ। ଏହାର ୧୫ ଦିନ ପୂର୍ବରୁ ଆତ୍ମଗଣନା ପାଇଁ ବିକଳ୍ପ ମଧ୍ୟ ଦିଆଯିବ | ଏହି କାର୍ଯ୍ୟ ସଫଳ କରିବା ପାଇଁ ଓଡ଼ିଶାରେ ପ୍ରାୟ ଏକ ଲକ୍ଷ ଜନଗଣନା ଗଣନାକାରୀ ନିଯୁକ୍ତ ହେବେ | ଜଣେ ଗଣନାକାରୀଙ୍କୁ ପ୍ରାୟ ୨୦୦ ପରିବାର ଗଣନାର ଦାୟିତ୍ୱ ଦିଆଯିବ | ଛଅ ଜଣ ଗଣନାକାରୀଙ୍କ କାର୍ଯ୍ୟ ଉପରେ ଜଣେ ପର୍ଯ୍ୟବେକ୍ଷକ ନଜର ରଖିବେ | ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗଣନାକାରୀଙ୍କୁ ସେମାନଙ୍କ ସେବା ପାଇଁ ୨୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି | ଜନଗଣନା ତଥ୍ୟ ଆଧାରରେ ରାଜ୍ୟ ଓ କେନ୍ଦ୍ର ସରକାର ଭବିଷ୍ୟତ ଯୋଜନା, ଉନ୍ନୟନ କାର୍ଯ୍ୟ ଓ ନୀତି ନିର୍ଣ୍ଣୟ କରିବାରେ ସହଜତା ପାଇବେ ବୋଲି ଆଶା କରାଯାଉଛି |