ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

ରକ୍ତମୁଖା ପାଲଟିଛି ଇସ୍ରାଏଲ। ଗାଜାକୁ ଚାରିପଟୁ ଘେରି ନିଆଁ, ପାଣି,ଖାଦ୍ୟ ସାମଗ୍ରୀ ଓ ଯୋଗା​ଯୋଗ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଆକାଶ ମାର୍ଗରୁ ଗାଜା ଉପରକୁ ଘନଘନ ବୋମା ବର୍ଷଣ କରିବାରେ ଲାଗିଛି। ୨୪ ଘଣ୍ଟା ବୋମା ବର୍ଷା ଫଳରେ ଗାଜାର ସୁ ଉଚ୍ଚ ଅଟ୍ଟାଳିକା ମାଟିରେ ମିଶୁଥିବା ବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି। ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଏକ ମସ୍ତବଡ଼ ଭୁଲ୍‌ କରିଛି ବୋଲି ବୁଝିପାରିବ। ହମାସକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ।

ଇସଲାମିକ ଆତଙ୍କବାଦୀ ସଂଗଠନ ‘ହମାସ’ ଅଧୀନରେ ଥିବା ଗାଜାର ଏକ ଅଞ୍ଚଳକୁ ଇସ୍ରାଏଲ ପୁନର୍ବାର ନିଜ ଦଖଲକୁ ନେଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ହମାସର ଅତର୍କିତ ଆକ୍ରମଣ ପରେ ଏହା ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି। ଯୁଦ୍ଧରେ ହମାସ ଅଧୀନରେ ଥିବା ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିଜ ଦଖଲକୁ ନେବା ଲାଗି ଇସ୍ରାଏଲ ଯୋଜନା କରିଛି। ଗାଲାଣ୍ଟ କହିଛନ୍ତି ଯେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ ନିମନ୍ତେ ନିର୍ଦେଶ ଦିଆଯାଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ହମାସର ପ୍ରାୟ ୫୬୦ ଆତଙ୍କବାଦୀ ପ୍ରାଣ ହରାଇଲେଣି। ସେହିପରି ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ୯୦୦ ସାଧାରଣ ନାଗରିକ ପ୍ରାଣ ହରାଇଲେଣି।

ନେତାନ୍ୟାହୁ କହିଛନ୍ତି, ହମାସ ଅତି ବର୍ବର ଆକ୍ରମଣ କରିଛି। ସେମାନେ ପରିବାର ସଦସ୍ୟଙ୍କୁ ସେମାନଙ୍କ ଘରେ ପଶି ହତ୍ୟା କରିଛନ୍ତି। ଶତାଧିକ ଯୁବକଯୁବତୀଙ୍କୁ ଉତ୍ସବରେ ହତ୍ୟା କରିଛନ୍ତି। ଶତାଧିକ ମହିଳା , ଶିଶୁ ଏବଂ ବୟସ୍କଙ୍କୁ ଅପହରଣ କରିନେଇଛନ୍ତି। ହମାସ ଆତଙ୍କବାଦୀମାନେ ଶିଶୁମାନଙ୍କୁ ହତ୍ୟା କରିଛନ୍ତି ଏବଂ ଜାଳି ଦେଇଛନ୍ତି। ହମାସକୁ ହରାଇବାପାଇଁ ନେତାନ୍ୟାହୁ ସମର୍ଥନ ଲୋଡ଼ିଛନ୍ତି। ଏଭଳି ବିପଦ ସମୟରେ ଇସ୍ରାଏଲକୁ ସହଯୋଗ ଏବଂ ସମର୍ଥନର ହାତ ବଢ଼ାଇଥିବା ରାଷ୍ଟ୍ରମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *