ଇରାନ ମାମଲାରେ ଆମେରିକାକୁ କୂଟନୈତିକ ଝଟ୍‌କା: ସାଉଦି ଆରବ ଓ ୟୁଏଇର ସ୍ପଷ୍ଟ ‘ନା’

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ଆମେରିକାକୁ ଏକ ବଡ଼ କୂଟନୈତିକ ଝଟ୍‌କା ଲାଗିଛି | ଇରାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଜ ଦେଶକୁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରିବାକୁ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି |

ଇରାନର ପରମାଣୁ କାର୍ଯ୍ୟକ୍ରମ ଉଲ୍ଲଂଘନ, ଆଞ୍ଚଳିକ ମିଲିସିଆକୁ ସମର୍ଥନ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ଆମେରିକା ଦୀର୍ଘ ଦିନ ଧରି ଇରାନ ଉପରେ କଟକଣା ଲାଗୁ କରିଆସୁଛି। ତେବେ ଏହାର ପ୍ରତିକ୍ରିୟାରେ ଇରାନ ମଧ୍ୟ ଆମେରିକା ଉପରେ ମଧ୍ୟପ୍ରାଚ୍ୟରେ ହସ୍ତକ୍ଷେପ ଓ ଅର୍ଥନୈତିକ ଦମନର ଅଭିଯୋଗ କରୁଛି | ଗତ କିଛି ମାସ ଧରି ଆମେରିକା ଉପସାଗରୀୟ ଅଞ୍ଚଳରେ ବିମାନ ବାହକ, ଯୁଦ୍ଧଜାହାଜ ଓ ଲଢ଼ୁଆ ବିମାନ ମୁତୟନ କରିଥିବାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନ ଲାଗି ରହିଛି | ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଥିବା କଥା କୁହାଯାଉଛି | ଇରାନ ସ୍ପଷ୍ଟ ଭାବେ ଚେତାବନୀ ଦେଇଛି ଯେ, ଯେକୌଣସି ଆକ୍ରମଣକୁ ସେ ଯୁଦ୍ଧ ଭାବେ ଗ୍ରହଣ କରିବ |

ଏହି ଘଟଣା ଉପରେ ଇରାନ ପ୍ରଥମେ ୟୁଏଇ ସହ ଆଲୋଚନା କରିଥିଲା | ଆଲୋଚନା ପରେ ୟୁଏଇ ସ୍ପଷ୍ଟ କରିଥିଲା ଯେ, ଇରାନ ବିରୋଧରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ ପାଇଁ ନିଜ ବାୟୁସୀମା, ଭୂମି କିମ୍ବା ଜଳସୀମା ବ୍ୟବହାର କରିବା ପାଇଁ ମନ କରିଦେଇଛି | ପରେ ସାଉଦି ଆରବ ସହ ମଧ୍ୟ ଇରାନ ଆଲୋଚନା କରିଥିଲା | ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଶକିୟାନଙ୍କ ମଧ୍ୟରେ ଆଲୋଚନା ପରେ ସାଉଦି ଆରବ ସ୍ପଷ୍ଟ କରିଛି ଯେ, ତେହେରାନ ବିରୋଧରେ କୌଣସି ସାମରିକ ଅଭିଯାନ ପାଇଁ ସେ ନିଜ ଆକାଶସୀମା କିମ୍ବା ଭୂମିକୁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରିବାକୁ ଦେବ ନାହିଁ |

ଅନ୍ୟପକ୍ଷରେ ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବଡ଼ ଆମେରିକୀୟ ନୌସେନା ଇରାନ ଅଭିମୁଖେ ଯାତ୍ରା କରୁଛନ୍ତି , ଯଦିଓ ସେ କହିଛନ୍ତି ଯେ ଏହାର ବ୍ୟବହାର କରିବାକୁ ପଡ଼ିବ ନାହିଁ | ସେ ଇରାନକୁ ପରମାଣୁ କାର୍ଯ୍ୟକ୍ରମ ପୁନଃଆରମ୍ଭ ଓ ପ୍ରତିବାଦକାରୀଙ୍କ ଉପରେ ଦମନରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି |