‘ଇଣ୍ଡିଆ’ ମେଣ୍ଟକୁ ବଡ଼ ସଫଳତା: ୭ ବିଧାନସଭା ଆସନରୁ ୪ଟିରେ ବିଜୟୀ

ଶୁକ୍ରବାର ପ୍ରକାଶ ପାଇଛି ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ । ୪ ଆସନରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବିଜୟୀ ହୋଇଥିଲା ବେଳେ ବିଜେପିକୁ ୩ଟି ଆସନ ମିଳିଛି। ସବୁଠାରୁ ବଡ଼ କଥା ହେଲା ଉତ୍ତର ପ୍ରଦେଶର ଘୋଶୀ ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛି। ଏଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂହ ବିଜେପିର ଦାରା ସିଂହ ଚୌହ୍ୱାନଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ବିଜେପି ତ୍ରିପୁରାର ବକ୍ସନଗର ଏବଂ ଧନପୁର ଆସନରୁ ବିଜୟୀ ହେବା ସହିତ ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ ମଧ୍ୟ ବିଜୟୀ ହୋଇଛି।

ଅନ୍ୟପକ୍ଷରେ କେରଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଅ ତଥା କଂଗ୍ରେସ ନେତା ଚାଣ୍ଡି ଓମେନ ୩୬ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୁଥୁପ୍ପାଲୀ ଆସନରୁ ସିପିଆଇ(ଏମ୍) ପ୍ରାର୍ଥୀ ଜ୍ୟାକ୍ ସି ଥୋମାସଙ୍କୁ ପରାସ୍ତ କରିଛନ୍ତି ଚାଣ୍ଡି ଓମେନ୍। ସେହିପରି ଝାଡ଼ଖଣ୍ଡର ଧୁମ୍ରି ଆସନରୁ ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଗଡ଼ରେ ଏଥର ମମତାଙ୍କ ଟିଏମସି ବିଜୟୀ ହୋଇଛି। ଧୁପ୍ଗୁଡ଼ି ନିର୍ବାଚନ ମଣ୍ଡଳୀରେ ଟିଏମ୍ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *