ଆସନ୍ତା ମାସରୁ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା

ନଭେମ୍ବର ୩ ତାରିଖ ରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା । ଆସନ୍ତା ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଜନଗଣନା କୁ ସଫଳ କରିବା ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ ଓ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ପୁରୀ ସ୍ଥିତ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର କାର୍ଯ୍ୟାଳୟ ରେ ଏହି ତାଲିମ ଦିଆଯାଉଛି । ଅନୁଷ୍ଠାନ ର ବୈଜ୍ଞାନିକ ମାନେ କୋଚି ରେ ତାଲିମ ନେବା ପରେ ମତ୍ସ୍ୟଜୀବୀ ଜନଗଣନା ରେ ସାମିଲ ହେବାକୁ ଥିବା ୨୯ ଜଣ ସୁପର ଭାଇଜର ଙ୍କୁ ତାଲିମ ଦେଉଛନ୍ତି ।

ଏହି ତାଲିମ ଶିବିର ରେ ପଶ୍ଚିମବଙ୍ଗ ଓ ଓଡ଼ିଶା ର ସୁପରଭାଇଜର ଓ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି । ଜନଗଣନା କୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ଆମ ରାଜ୍ୟର ୬ ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟଜୀବି ପରିବାରଙ୍କୁ ସର୍ଭେ କରାଯିବ ।

CMFRI ପୁରୀ କ୍ଷେତ୍ର କାର୍ଯ୍ୟାଳୟ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜ୍ଞାନ ରଞ୍ଜନ ଦାଶ କହିଛନ୍ତି, ଗତ ୨୦୧୬ ମସିହାରେ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା ହୋଇଥିଲା । ପ୍ରତି ୫ ବର୍ଷ ରେ ଥରେ ଏହି ଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ସ୍ଥିତି ଅନୁଧ୍ୟାନ କରାଯାଏ । ଏହା ଦ୍ଵାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୁରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ତେଣୁ ଚଳିତବର୍ଷ ସର୍ଭେରେ ବାସ୍ତବ ସ୍ଥିତି ଜଣାପଡ଼ିବ। ଏହି ତଥ୍ୟ କୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକା ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହାଦ୍ଵାରା ସାମୁଦ୍ରିକ ମତ୍ସ୍ୟଜୀବି ମାନେ ଉପକୃତ ହେବେ। ପୁରୀ ଜିଲ୍ଲା ପାରମ୍ପରିକ ସାମୁଦ୍ରିକ ମତ୍ସ୍ୟଜୀବି ସଂଘ ସଭାପତି ବାବୁଲା ପ୍ରସାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ କେନ୍ଦ୍ର ସରକାର ଯେଉଁ ଜନଗଣନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ସ୍ବାଗତ ଯୋଗ୍ୟ । ଏହି ସର୍ଭେ ହେଲେ ସାମୁଦ୍ରିକ ମତ୍ସ୍ୟଜୀବି ଙ୍କ ପ୍ରକୃତ ସମସ୍ୟା ଲୋକ ଲୋଚନ କୁ ଆସିପାରିବ ।