ଆବାସ ଘର ପାଇବାରୁ ବଂଚିତ ୭ ଜଣ ଭିନ୍ନକ୍ଷମଙ୍କୁ ନେଇ ଶ୍ରୀମତିଙ୍କ ପରିବାର

ସରକାରଙ୍କ ମାଲମାଲ ଯୋଜନାକୁ ନେଇ ଲୋକଙ୍କ ଭିତରେ ଦ୍ବନ୍ଦ୍ବ। ବାସ୍ତବରେ ସରକାରୀ ଯୋଜନା କାହା ପାଇଁ? ସତରେ କଣ ଅସହାୟ ଗରିବଙ୍କ ପାଇଁ? ଯଦି ହଁ ତେବେ ଥରେ ଏହି ଭିଜୁଆଲ ଆଡେ ନଜର ପକାନ୍ତୁ। ମାଟି ଛପର ଘର। ହେଲେ ଛପର ହୋଇ ନ ପାରି ଘର ପଡିରହିଛି। ଏପଟେ କାନ୍ଥ ଫାଟି ଆଁ କରିଛି। ଆଉ ଏହି ଭଙ୍ଗା ଘରେ ରହୁଛନ୍ତି ୧୦ ପ୍ରାଣୀ କୁଟୁମ୍ବ। ଭାବୁଥିବେ ଏତେ ସଦସ୍ୟଙ୍କ ଏହି ପରିବାର, ଅଥଚ ଘର ମରାମତି କି ଛପର କରି ପାରୁନାହାନ୍ତି? ସବୁ ବସି ଖାଉଛନ୍ତି ବୋଧେ। କିନ୍ତୁ ନାହିଁ ଆଜ୍ଞା, ପରିବାରରେ ୧୦ ଜଣ ସଦସ୍ୟ ଥିଲେ ମଧ୍ୟ ସେମାନଙ୍କ ଭିତରୁ ପୁଅ, ବୋହୂ ଓ ସେମାନଙ୍କ କୁନି ପିଲାଟିକୁ ଛାଡିଦେଲେ ବୁଢୀ ମା ଶ୍ରୀମତି ଓ ତାଙ୍କ ୬ ଝିଅ ଆଜନ୍ମ ଅନ୍ଧୁଣୀ। ନିଜ କାମ କରିବା ସେମାନଙ୍କ ପାଇଁ କାଠିଗର ପାଠ। ଏମିତିରେ ଘର ଲିପା ପୋଛା କରିବା ବା ଫଟା କାନ୍ଥରେ ମାଟି ଲେସିବା କଣ ସେମାନଙ୍କ ପାଇଁ ସହଜ? ବୋହୂ ଛୋଟ ଛୁଆ ଓ ଘର ପାଇଟିରେ ବ୍ୟସ୍ତ, ପୁଅ ମୁଲ ମଜୁରୀ ଲାଗି ଯାହା ରୋଜଗାର କରେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କିନ୍ତୁ ଏହି ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭିରା ଗ୍ରାମର ୧୦ ନଂ ୱାର୍ଡର ଶ୍ରୀମତି ସେଠିଙ୍କ କଥା। ନାନା ଅଭାବ ଅସୁବିଧା ଭିତରେ କଟୁଛି ଶ୍ରୀମତିଙ୍କ ଦିନ। ସରକାରଙ୍କ ପକ୍ଷରୁ ତାଙ୍କୁ ମିଳୁଛି ଭିନ୍ନକ୍ଷମ ଭତ୍ତା ସାଙ୍ଗକୁ ଟଙ୍କିକିଆ ଚାଉଳ। ହେଲେ ତିଅଣ ପାଇଁ ପନିପରିବା, ତେଲ, ଲୁଣ ପରି ସାମଗ୍ରୀ ବି ତ ଆବଶ୍ୟକ ପଡୁଛି। ପୁଅର ମଜୁରୀ ଏସବୁ ପୂରଣ କରିବାରେ ନିଅଣ୍ଟ। ତା ପରେ କୋଉଠୁ ଆସିବ ଅର୍ଥ ଘର ଛପର ପାଇଁ? ଘର ମରାମତି ବି ସମ୍ଭବ ହେଉନି ସମୟ ଅଭାବରୁ। ତେଣୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଚାହିଁ ବସିଛନ୍ତି ଶ୍ରୀମତି।

ଅନ୍ୟପଟେ କାନ୍ଥ ବାଡ ଫାଟି ଆଁ କରିଥିବାରୁ ସାପ, ବେଙ୍ଗ ଘରେ ପଶୁଛନ୍ତି। ଏମିତି ବିପଦପୂର୍ଣ୍ଣ ଘରେ ଜୀବନ କାଟୁଛନ୍ତି ୭ ଜଣ ଦୃଷ୍ଟି ବାଧିତ। ଏହି ଭିନ୍ନକ୍ଷମ ଗରିବ ପରିବାର ପ୍ରତି ଧ୍ୟାନ ଦେଇ ସରକାର ତୁରନ୍ତ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ଦାବି କରୁଛନ୍ତି ଗ୍ରାମବାସୀ।

ଦୀର୍ଘ ଦିନରୁ ଆବାସ ପାଇଁ ପଂଚାୟତ ଠୁ ଆରମ୍ଭ କରି ବିଡ଼ିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି, ହେଲେ କେହି ଶୁଣୁ ନାହାନ୍ତି ଶ୍ରୀମତିଙ୍କ ଗୁହାରି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆମ ପ୍ରତିନିଧି ହାଟଡିହି ବିଡ଼ିଓଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଶା କରୁଛି ଖବର ପ୍ରସାରଣ ପରେ ପ୍ରଶାସନ ଏହି ପରିବାର ସମ୍ପର୍କରେ ଜାଣିବାକୁ ପାଇବ ଓ ସେମାନଙ୍କୁ ଏକ କୋଠା ଘର ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *