ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରଚାର ସମିତି ରାହାମା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୫ ଉଦଘାଟିତ ହୋଇଯାଇଛି । ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ କରକମଳରେ ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ସାଧୁସନ୍ଥ ମାନଙ୍କ ସହ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠ ପୁରୀ ମହନ୍ତ ମହାରାଜ ରାମକୃଷ୍ଣ ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ନାମାଚାର୍ଯ୍ୟ ବାୟାବାବାଙ୍କ ଶିଷ୍ୟ ଶ୍ରୀ ବୈକୁଣ୍ଠନାଥ ଦାସ ପ୍ରମୁଖ ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ସାଧୁସନ୍ଥ ମାନେ ମହୋତ୍ସବ ସ୍ଥଳ ପରିକ୍ରମା କରି ମା’ ବିମଳା, ମା’ ଲକ୍ଷ୍ମୀ, ଚାରିଧାମ ଦର୍ଶନ, ପଞ୍ଚସଖାଙ୍କ ଲୀଳା ପ୍ରଦର୍ଶନ, ବନ୍ଧୁ ମହାନ୍ତି, ଦାସିଆ ବାଉରୀ ଙ୍କ କଳାକୃତି ପ୍ରଦକ୍ଷିଣ କରି ଶ୍ରୀଜଗନ୍ନାଥଙ୍କ ଚବିଶ ବେଶ, ଛପନ ଭୋଗ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ପୀଠ ଆଦି ଦର୍ଶନ କରିଥିଲେ ।

ପ୍ରଥମେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ତଥା ସମ୍ପାଦକ ଡ଼ ସୁନାକର ବେହେରା ସମସ୍ତ ସାଧୁସନ୍ଥ ଓ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରି ଅନୁଷ୍ଠାନର ଆଧ୍ୟାତ୍ମିକ, ସାମାଜିକ ମୂଲ୍ୟବୋଧ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଘଣ୍ଟଘଣ୍ଟା, ବେଦଧ୍ୱନି, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହୋତ୍ସବକୁ ମହାରାଜ ଉଦଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତି କିପରି ବିପଥଗାମୀ ସମାଜକୁ ଶୃଙ୍ଖଳିତ କରି ପାରିବ ଓ ଗୋମାତାଙ୍କ ସେବାଦ୍ଵାରା କିପରି ଏକ ସୁସ୍ଥ ସମାଜ ଓ ବାତାବରଣ ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଶ୍ରୀଜଗନ୍ନାଥ ସଂସ୍କୃତିର ସାରସ୍ଵତ ତତ୍ତ୍ୱ ଓ ମାନବ ସମାଜରେ ସଂସ୍କାର ଓ ମାନବିକ ମୂଲ୍ୟବୋଧର ଉତ୍ତରୋତ୍ତର ଉନ୍ନତି କାମନା କରି ଏକ ସଫଳ ଜୀବନକୁ ରୂପାନ୍ତରିତ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।

ଅନ୍ୟ ଅତିଥି ମାନଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଧୃତିଧର ଦାସ ଓ ପଣ୍ଡିତ ପ୍ରମୋଦ କୁମାର କର ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଖ୍ୟାତ ପ୍ରବଚକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ନିଜର ଧାରାବାହିକ ପ୍ରବଚନ ପ୍ରାରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଯୁଗପୁରୁଷ ଶ୍ରୀକୃଷ୍ଣ ଓ ଶ୍ରୀଭାଗବତ ମହାପୁରାଣର ବ୍ୟାଖ୍ୟା ବର୍ଣ୍ଣନା କରିଥିଲେ । ସମଗ୍ର ଅଞ୍ଚଳକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ଅଭିହିତ କରି ଏହି ମହାଯଜ୍ଞରେ ସମସ୍ତ ଜନସାଧାରଣ ଭାଗନେବାକୁ ଅନୁରୋଧ କରିଥିଲେ । ଏଥିରେ ସର୍ବଶ୍ରୀ ଶରତ ଚନ୍ଦ୍ର ସାହୁ, ମନୋହର ସ୍ବାଇଁ, ଅକ୍ଷୟ ଉତ୍ତମ ଚରଣ ଦାସ, ଦୁର୍ଯ୍ୟୋଧନ ପାତ୍ର, ସ୍ନେହମୟୀ ଆଚାର୍ଯ୍ୟ, ସରସ୍ବତୀ ଦାସ ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରସାଦ ସେବନ ର ବନ୍ଦୋବସ୍ତ ହୋଇଥିଲା ।