ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ ।ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ‘ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।ଏହାରି ମଧ୍ୟରେ ଚନ୍ଦ୍ରଯାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି ।ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ସମଗ୍ର ଦେଶରେ ଚାଲିଛି ପୂଜାର୍ଚ୍ଚନା ।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ବେଳେ ଦକ୍ଷିଣ ଆଫ୍ରିକାରୁ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ପିଲାମାନେ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଯେପରି ଭଲ ଭାବେ ଦେଖି ପାରିବେ ତାହାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *