ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ଯାଇଛି | ସିଏଚଏସଇ (Council of Higher Secondary Education Odisha ) ପକ୍ଷରୁ ଆୟୋଜିତ ଏହି ପରୀକ୍ଷାରେ ମୋଟ ୪ ଲକ୍ଷ ୧୬ ହଜାର ୨୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି |

ବିଭାଗ ଅନୁଯାୟୀ, କଳାରେ ୨,୫୬,୭୦୭ ଛାତ୍ରଛାତ୍ରୀ , ବିଜ୍ଞାନରେ ୧,୧୪,୩୬୩ ଛାତ୍ରଛାତ୍ରୀ , ବାଣିଜ୍ୟରେ ୨୪,୬୨୧ ଛାତ୍ରଛାତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୯୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୨୩ଟି ସିଟିଂରେ ପରୀକ୍ଷା ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହେବ।

ଏବେ ପ୍ରଥମଥର ପାଇଁ ପରୀକ୍ଷା ପରିଚାଳନା ହବ୍‌ରେ AI ମାଧ୍ୟମରେ ନଜର ରଖିବାର ବ୍ୟବସ୍ଥା କରାଯାଇଛି। ହବ୍‌କୁ କେହି ପ୍ରବେଶ କରେ ତେବେ ମୁଖ୍ୟାଳୟକୁ ଆଲର୍ଟ ହୋଇଯିବ । ସିଏଚଏସଇ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଗୋଟିଏମାତ୍ର ପ୍ରବେଶ ପଥ ରହିବ ଓ ସେଠାରେ ଗ୍ରିଲ୍ ସହ କବାଟ ବ୍ୟବସ୍ଥା ରହିଛି। ହବ୍‌ ଓ ବାହାରେ ପୋଲିସର କଡା ପ୍ରହରା ବ୍ୟବସ୍ଥା କରାଯାଇଛି।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ୍‌ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଜମା ଜମା କରିବେ । ଘଣ୍ଟି ବାଜିବା ପୂର୍ବରୁ କେହି କେନ୍ଦ୍ର ଛାଡି ପାରିବେ ନାହିଁ ଓ ପ୍ରଶ୍ନପତ୍ର ବାହାରକୁ ନେଇ ପାରିବେ ନାହିଁ । ସକାଳ ସାଢେ ୮ଟା ମଧ୍ୟରେ ପ୍ରଶ୍ନପତ୍ର ପ୍ୟାକେଟ କେନ୍ଦ୍ରରେ ପହଞ୍ଚିବ ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ପର୍ଯ୍ୟବେକ୍ଷକ, ପରୀକ୍ଷା ନୀରିକ୍ଷକ ଏବଂ ଜିଲ୍ଲା ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ଖୋଲାଯିବ। ଦ୍ୱି-ସ୍ତରୀୟ ଯାଞ୍ଚ ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ କରାଯିବା |