ଆଜିଠାରୁ ବାଲିଆପାଳର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ଉଜ୍ଜିବୀତ କରିବା ଉଦ୍ଦେଶ୍ୟରେ ବାଲିଆପାଳ ପଂଚାୟତ ଅଫିସ ନିକଟରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶ ବାଲିଆପାଳ ମହୋତ୍ସବ | ଏହାକୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉଦ୍ଘାଟନ କରିଛନ୍ତି | ଏ ନେଇ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହୋତ୍ସବ କମିଟିର ଆବାହକ ଇଂ ସୁଶାନ୍ତ କୁମାର ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ପୂର୍ବତନ ସରପଂଚ ମଧୁସୂଦନ ବାରିକ, ମୂରଲୀ ମୋହନ ସାହୁ, ସଦସ୍ୟ ଅରୁଣ ପାତ୍ର, ଜଗନ୍ନାଥ ବାରିକ, ବିଜୟ ସାମଲ, ବ୍ୟୋମକେଶ ସାହୁ, ସୁଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |
ଏହି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧ ହଜାରରୁ ଉର୍ଦ୍ଧ୍ବ ଷ୍ଟଲ, ମୀନାବଜାର, ନାଗରଦୋଳି ସ୍ଥାନ ପାଇଛି | ସେହିପରି ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ନେଇ କାର୍ଯ୍ୟକ୍ରମ ସହିତ ହଜି ଯାଉଥିବା ଲୋକ କଳା ପ୍ରଦର୍ଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ, ଗୋଟିପୁଅ, ଛଉ, ଓଡିଶୀ ପ୍ରଭୃତି ନୃତ୍ୟ ଅନୁଷ୍ଠାନମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ | ସେହିପରି ପ୍ରତିଦିନ ବିଭିନ୍ନ ତାରକାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |
ମେଳାର ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଟି ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ମୁକୁନ୍ଦ ସିଂ, ନରେଶ ସାହୁ,ପିଣ୍ଟୁ ସୀ, ହରବନ୍ଧୁ ଜେନା, ଅସିତ ପଟ୍ଟନାୟକ, ସୁଜୟ ପରିଡା, ଉମାକାନ୍ତ ନାୟକ, ରାଧାକୃଷ୍ଣ ପାତ୍ର, ମୃତ୍ୟୁଞ୍ଜୟ ପରିଡା, ସନାତନ ସିଂ, ବିନୋଦ ବେହେରା, ରଘୁନାଥ ସିଂ, ଇନତାଜ ସାହା ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | କମିଟିର ବରିଷ୍ଠ ସଦସ୍ୟ ଅନନ୍ତ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ |