ଆଇ-ପ୍ୟାକ୍ ରେଡ୍ ପରେ ପଶ୍ଚିମବଙ୍ଗରେ ରାଜନୀତିକ ଝଡ଼

ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି ପଶ୍ଚିମବଙ୍ଗର ରାଜନୈତିକ ହାଇଡ୍ରାମା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉକୁ ବିରୋଧ କରି ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ବିକ୍ଷୋଭ କରିଛନ୍ତି। ବିକ୍ଷୋଭ ସମୟରେ ଦିଲ୍ଲୀ ପୁଲିସ ଓ ଟିଏମସି ସାଂସଦମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଧସ୍ତାଧସ୍ତି ଘଟିଥିଲା। ଏହି ଘଟଣାରେ ୮ ଜଣ ଟିଏମସି ସାଂସଦଙ୍କୁ ପୁଲିସ ଅଟକ କରି ଉଠାଇ ନେଇଥିବା ଜଣାପଡ଼ିଛି।

ଏହି ବିକ୍ଷୋଭର ପୃଷ୍ଠଭୂମିରେ ରହିଛି କୋଇଲା ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ତଦନ୍ତ। ଗତକାଲି ଇଡି ପଶ୍ଚିମବଙ୍ଗ ସମେତ ଦେଶର ୧୫ଟି ସ୍ଥାନରେ ଚଢ଼ଉ କରିଥିଲା। କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଆଇ-ପ୍ୟାକ୍‌’ର ସଲ୍ଟଲେକ୍ ସେକ୍ଟର-୫ ସ୍ଥିତ କାର୍ଯ୍ୟାଳୟ ଓ ସଂସ୍ଥାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ପ୍ରତୀକ ଜୈନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତି ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବେ ପରିଚିତ।

ଚଢ଼ଉ ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଇ-ପ୍ୟାକ୍‌ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଇଡି ଜବତ କରିଥିବା କିଛି ଫାଇଲ ଓ ଇଲେକ୍ଟ୍ରୋନିକ ଉପକରଣ ଛଡ଼ାଇ ନେଇଥିବା ଅଭିଯୋଗ ଇଡି ପକ୍ଷରୁ କରାଯାଇଛି। ମମତାଙ୍କ ସହ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବାରୁ ଇଡି ଟିମ୍ ଏକ ପ୍ରକାର ଉପାୟଶୂନ୍ୟ ହୋଇପଡ଼ିଥିବା କୁହାଯାଉଛି।

ଏହି ଘଟଣାକୁ ନେଇ ଇଡି କଲକାତା ହାଇକୋର୍ଟରେ ପିଟିସନ ଦାୟର କରି ମମତା ବାନାର୍ଜୀ ସାମ୍ବିଧାନିକ ପଦର ଦୁରୁପଯୋଗ କରି ତଦନ୍ତକାରୀ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଇଡି ଚଢ଼ଉ ତୃଣମୂଳ କଂଗ୍ରେସର ନିର୍ବାଚନୀ ରଣନୀତି, ପ୍ରାର୍ଥୀ ତାଲିକା ଓ ଗୋପନୀୟ ଦସ୍ତାବିଜ ହାତେ ପାଇବା ପାଇଁ ଉଦ୍ଦିଷ୍ଟ। ସେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହାର ପଛରେ ଥିବା ଅଭିଯୋଗ କରିଛନ୍ତି।

ବିଜେପି ପକ୍ଷରୁ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ପୁରୁଣା ଇତିହାସ ମମତା ବାନାର୍ଜୀଙ୍କର ରହିଛି। ଅପରପକ୍ଷରେ ଇଡି ସ୍ପଷ୍ଟ କରିଛି ଯେ ଏହି ଚଢ଼ଉ ନିର୍ବାଚନ ସହ ସମ୍ପର୍କିତ ନୁହେଁ, ବରଂ କୋଇଲା ଦୁର୍ନୀତିରୁ ଆସିଥିବା ଅପରାଧର ଆୟ ମନିଲଣ୍ଡରିଂ ତଦନ୍ତର ଏକ ଅଂଶ। ଏଜେନ୍ସି କହିଛି ଯେ ୨୦୨୨ ଗୋଆ ନିର୍ବାଚନ ପାଇଁ ଏହି ଟଙ୍କା ‘ଆଇ-ପ୍ୟାକ୍‌’ ମାଧ୍ୟମରେ ପଠାଯାଇଥିବା ସନ୍ଦେହ ରହିଛି ଏବଂ ତଦନ୍ତ ଜାରି ରହିଛି।