
“ଭାଇ ତତେ ମୋର ରହିଲା ରାଣ” ଗୀତର ତାଳେ ତାଳେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବା ପାଇଁ ଚାତକ ପରି ଅନେଇ ବସିଲାଣି। କଥାରେ ଅଛି, ଅତୁଟ ଓ ନିଆରା ସମ୍ପର୍କର କାହାଣୀ ନାଁ ତାର ଭାଇ ଭଉଣୀ। ଥାଏ ରାଗ ରୁଷା ମାନ ଅଭିମାନ ହେଲେ କଥା ଯେବେ ଉଭୟଙ୍କ ଉପରକୁ ଆସେ ଭାଇ ଓ ଭଉଣୀ ପରସ୍ପର ପାଇଁ ସାଜି ଯାଆନ୍ତି ରକ୍ଷା କବଚ। ଭଉଣୀ ଆଖିରେ ଲୁହ ନ ଦେବା ପାଇଁ ପ୍ରତିଜ୍ଞା କରେ ଭାଇ, ଏଇ ରାକ୍ଷୀକୁ ସାକ୍ଷୀ ରୂପେ ନେଇ। କେବଳ ମର୍ତ୍ୟ ପୁରରେ ରାକ୍ଷୀ ଭଉଣୀକୁ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ, ପୌରାଣିକ ଗାଥା ଅନୁସାରେ ସ୍ୱର୍ଗ ପୁରରେ ବି ସୁରକ୍ଷାର ପ୍ରତୀକ ଭାବରେ ରାକ୍ଷୀ ରହିଛି ବିଦିତ। ସ୍ୱର୍ଗପୁରରେ ଇନ୍ଦ୍ର ଦେବତାଙ୍କ ସୁରକ୍ଷ୍ୟା ନିମନ୍ତେ ବ୍ରହ୍ମା ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କ ହସ୍ତରେ ସୁତା ଖିଅ ବାନ୍ଧିଥିଲେ ଯାହା ତାଙ୍କୁ କେବଳ ଅମାପ ଶକ୍ତି ଯୋଗାଇଥିଲା ତାହା ନୁହେଁ ସୁରକ୍ଷା ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥିଲା,ଏହାକୁ ରାକ୍ଷୀର ଆଦ୍ୟ ରୂପେ ମଧ୍ୟ ବିଦିତ କରାଯାଏ।

ଅନ୍ୟପକ୍ଷରେ, ଶ୍ରୀକୃଷ୍ଣଙ୍କ ଆଘାତ ଆଙ୍ଗୁଠିରେ ଦ୍ରୌପଦୀ ନିଜର ଲୁଗା ଖଣ୍ଡକୁ ବାନ୍ଧିବା ଓ ଗୋବିନ୍ଦ ଦ୍ରୌପଦୀଙ୍କ ବିପଦ କାଳରେ ରକ୍ଷା କରିବାର ପ୍ରତିଶୃତିକୁ କର୍ତବ୍ୟ ରୂପେ ଅଭିହିତ କରିବା ରାକ୍ଷୀର ଆରମ୍ଭ ଅଟେ ବୋଲି ପରିପେକ୍ଷୀରେ ମଧ୍ୟ କୁହାଯାଏ। ସେହିପରି ବିଷ୍ଣୁ ପୌରାଣିକ କଥା ଅନୁସାରେ ଏଇ ରାକ୍ଷୀ ହିଁ ବିଷ୍ଣୁଙ୍କୁ ବନ୍ଧନ ମୁକ୍ତ କରିଥିଲା। ତେବେ ଆଗକୁ ରାକ୍ଷୀ ପାଖେଇ ଆସୁଥିବା ବେଳେ ବଜାରରେ ଏବେ ଠୁ ଜମିବାରେ ଲାଗିଲାଣି ଭଳିକି ଭଳି ରାକ୍ଷୀର ଆସର। ନିଜର ମନ ପସନ୍ଦର ରାକ୍ଷୀଟିଏ କିଣିବା ପାଇଁ ଦୋକାନରେ ଭିଡ ଏବେ ଠୁ ଜମିଲାଣି। ଆଗରୁ ସୁତା ଖିଅ ଖଣ୍ଡକୁ ଗମ୍ହା ପୁର୍ଣିମାରେ ଭଉଣୀ ନିଜ ଭାଇ ହାତରେ ବାନ୍ଧି ପାଳୁଥିଲା ରାକ୍ଷୀ, ହେଲେ ସମୟ ବଦଳିଛି ଏବେ ହାତ ତିଆରି ପତ୍ର ଠୁ ଆରମ୍ଭ କରି ରୁପାର କାରୁକାର୍ଯ୍ୟ ସମ୍ପର୍ଣ ତଥା ଠାକୁରଙ୍କ ଫୋଟୋ, ଜରି ଓ ଚିତ୍ର ଖୋଦେଇ ରାକ୍ଷୀ ବଜାରକୁ ଆସି ସାରିଛି। ହେଲେ,ଏଥର ଡିମାଣ୍ଡରେ ଆଧୁନିକ ଫୋଟୋ ଫ୍ରେମ ରାକ୍ଷୀ ଥିବା ସୂଚନା ମିଳୁଛି।