ବାରାଣସୀ: ଦୀର୍ଘ ୬୪ ଦିନର ଅପେକ୍ଷା ପରେ ପୁଣି ଚଳଚଞ୍ଚଳ ହୋଇଉଠିଛି ଉତ୍ତରପ୍ରଦେଶର ପବିତ୍ର ଧାର୍ମିକ ନଗରୀ କାଶୀ। ବିଶ୍ୱପ୍ରସିଦ୍ଧ ଦଶାଶ୍ୱମେଧ ଘାଟରେ ପୁଣିଥରେ ନିଜ ପାରମ୍ପରିକ ସ୍ଥାନକୁ ଫେରିଛି ମାଆ ଗଙ୍ଗାଙ୍କ ଭବ୍ୟ ସନ୍ଧ୍ୟା ଆଳତି। ବନ୍ୟାଜଳ କମିବା ପରେ ମଙ୍ଗଳବାର, ଅକ୍ଟୋବର ୨୦ ତାରିଖରେ ପୁଣି ଆରମ୍ଭ ହୋଇଛି ଏହି ଧାର୍ମିକ ଅନୁଷ୍ଠାନ। ଦୀପର ଆଲୋକ, ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ସମଗ୍ର ଘାଟ।
ସୂଚନା ଅନୁଯାୟୀ, ଗଙ୍ଗା ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଦଶାଶ୍ୱମେଧ ଘାଟର ପାରମ୍ପରିକ ଆଳତି ସ୍ଥଳ ଜଳମଗ୍ନ ହୋଇଯାଇଥିଲା। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୭ ତାରିଖରୁ ଗଙ୍ଗା ସେବା ନିଧି କାର୍ଯ୍ୟାଳୟର ଛାତ ଉପରେ ଆଳତି ଆୟୋଜନ କରାଯାଉଥିଲା। ତେବେ ବନ୍ୟା ପରିସ୍ଥିତି ସତ୍ତ୍ୱେ ମାଆ ଗଙ୍ଗାଙ୍କ ଆରାଧନା ଗୋଟିଏ ଦିନ ମଧ୍ୟ ବନ୍ଦ ହୋଇନଥିଲା।

ଏବେ ଗଙ୍ଗା ନଦୀର ଜଳସ୍ତର ହ୍ରାସ ପାଇବା ସହ ଘାଟରେ ପୁଣି ସ୍ଥାନ ଉପଲବ୍ଧ ହୋଇଛି। ଘାଟର ସଫେଇ ଓ ଆବଶ୍ୟକ ବ୍ୟବସ୍ଥା କରାଯିବା ପରେ ଆଳତିକୁ ମୂଳ ସ୍ଥାନକୁ ଫେରାଇ ଅଣାଯାଇଛି। ଦୀର୍ଘଦିନ ପରେ ଘାଟରେ ଆଳତି ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ।
ସନ୍ଧ୍ୟା ସମୟରେ ପୂଜକମାନେ ମାଆ ଗଙ୍ଗାଙ୍କ ଉଦ୍ଦେଶ୍ୟରେ ଭବ୍ୟ ଆଳତି କରିଥିଲେ। ହାତରେ ପ୍ରଜ୍ୱଳିତ ଦୀପ ଧରି ପୂଜକମାନଙ୍କ ଆଳତି ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମୁଗ୍ଧ କରିଥିଲା। ଚାରିଆଡ଼େ ଗୁଞ୍ଜରିତ ହୋଇଥିଲା ‘ହର ହର ଗଙ୍ଗେ’ ଓ ‘ହର ହର ମହାଦେବ’ ଧ୍ୱନି। ଏହି ମନୋରମ ଦୃଶ୍ୟ ଦେଖିବାକୁ ଦେଶବିଦେଶର ପର୍ଯ୍ୟଟକ ଓ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ଗଙ୍ଗା ସେବା ନିଧିର ସଭାପତି ସୁଶାନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ନଦୀର ଜଳସ୍ତର ଏବେ ମଧ୍ୟ ସ୍ୱାଭାବିକ ସ୍ତରଠାରୁ ପ୍ରାୟ ୧୦ରୁ ୧୫ ଫୁଟ ଅଧିକ ରହିଛି। ତଥାପି ଘାଟଗୁଡ଼ିକ ମଧ୍ୟରେ ଯୋଗାଯୋଗ ପୁନଃସ୍ଥାପିତ ହୋଇଛି ଏବଂ ଆଗାମୀ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ସଫେଇ କାର୍ଯ୍ୟ ଚାଲିଛି।
କାଶୀର ଆଧ୍ୟାତ୍ମିକ ପରିଚୟ ସହ ଜଡ଼ିତ ଏହି ବିଶ୍ୱପ୍ରସିଦ୍ଧ ଗଙ୍ଗା ଆଳତି ପୁଣି ନିଜ ପାରମ୍ପରିକ ସ୍ଥାନକୁ ଫେରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।