୪୮ ବର୍ଷ ପରେ ରତ୍ନଭଣ୍ଡାର…

ଟ୍ରେଜେରୀ ଚାବିରେ ଆରମ୍ଭ ଗଣତିମଣତି
୧୯୭୮ ମସିହା ତାଲିକା ସହ ହେବ ସିଧା ମେଳ

ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାରକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଗଣତିମଣତି ପ୍ରକ୍ରିୟା । ପ୍ରାୟ ୪୮ ବର୍ଷ ପରେ ପୁଣିଥରେ ଏହି ଗଣନା ହେଉଥିବାରୁ ଏହାକୁ ନେଇ ସମଗ୍ର ଓଡ଼ିଶାରେ ଉତ୍ସୁକତା ବଢ଼ିଛି। ଶେଷ ଥର ୧୯୭୮ ମସିହାରେ ରତ୍ନଭଣ୍ଡାରର ସମ୍ପତ୍ତିର ତାଲିକା ପ୍ରସ୍ତୁତ ହୋଇଥିଲା, ଏବେ ସେହି ପୁରୁଣା ତାଲିକା ସହ ନୂତନ ଗଣନାକୁ ମେଳ କରାଯିବ।

ସରକାର ଓ ମନ୍ଦିର ପ୍ରଶାସନଙ୍କ ନିର୍ଦ୍ଦେଶାନୁସାରେ ଏସଓପି ଅନୁଯାୟୀ ସମସ୍ତ ପ୍ରକ୍ରିୟା କଡାକଡି ଭାବରେ ପାଳନ କରାଯିବ। ଟ୍ରେଜେରୀରୁ ଆସିବା ଚାବି ମାଧ୍ୟମରେ ରତ୍ନଭଣ୍ଡାରର ତାଲା ଖୋଲାଯିବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଉଚ୍ଚ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରାଯିବ। ଏହି କାର୍ଯ୍ୟରେ ପ୍ରଶାସନ, ପୋଲିସ ଓ ବିଭିନ୍ନ ବିଶେଷଜ୍ଞ ଦଳ ଉପସ୍ଥିତ ରହିବେ।

ରତ୍ନଭଣ୍ଡାରରେ ରହିଥିବା ମହାମୂଲ୍ୟବାନ ସୁନା, ରୂପା ଓ ରତ୍ନାଭୂଷଣର ସଠିକ ଗଣନା ସହିତ ସେଗୁଡିକର ଅବସ୍ଥା ମଧ୍ୟ ଯାଞ୍ଚ କରାଯିବ। ପ୍ରତ୍ୟେକ ଆଇଟମକୁ ଭଲଭାବେ ରେକର୍ଡ କରାଯିବ ଏବଂ ଆବଶ୍ୟକ ହେଲେ ନୂତନ ଡିଜିଟାଲ ଡାଟାବେସ୍‌ରେ ସଂରକ୍ଷିତ କରାଯିବ।ଏହି ଗଣତିମଣତି ପ୍ରକ୍ରିୟା କେବଳ ସମ୍ପତ୍ତିର ହିସାବ ନୁହେଁ, ବରଂ ମନ୍ଦିରର ସୁରକ୍ଷା ଓ ପାରଦର୍ଶିତାକୁ ଆହୁରି ଶକ୍ତିଶାଳୀ କରିବାରେ ଏକ ମୁଖ୍ୟ ପଦକ୍ଷେପ ବୋଲି ଦେଖାଯାଉଛି। ଦୀର୍ଘଦିନ ଧରି ଏହାକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ସମଗ୍ର ପ୍ରକ୍ରିୟାକୁ ସଫଳ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ଏକାଠି କାମ କରୁଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏହି ଗଣନା ସମ୍ପୂର୍ଣ୍ଣ ହେବା ସହ ରତ୍ନଭଣ୍ଡାରର ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।