୧୬ତମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ

ପାକିସ୍ତାନର ଲାହୋରସ୍ଥିତ ମୁଲ୍‌ତାନ୍ ଷ୍ଟାଡ଼ିୟମରୁ ବୁଧବାରଠାରୁ ଆରମ୍ଭ ହେବ ୧୬ତମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟର ଏହି ସଂସ୍କରଣରେ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରଥମଥର ପାଇଁ ନେପାଳ ଏସିଆ କପ୍ ଖେଳିବାର ସୁଯୋଗ ପାଇଛି । ପ୍ରଦାର୍ପଣ ଏସିଆ କପ୍‌ରେ ନେପାଳ ଟୁର୍ଣ୍ଣାମେଣ୍ଟ ଆୟୋଜକ ପାକିସ୍ତାନକୁ ଭେଟିବ ।

୧୬ତମ ସଂସ୍କରଣ ୫୦ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ରହିଥିବା ବେଳେ ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା, ରନର୍ସଅପ ପାକିସ୍ତାନ, ସର୍ବାଧିକ ଥର ଚାମ୍ପିଅନ୍ ଭାରତ, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ଅଂଶଗ୍ରହଣ କରୁଛନ୍ତି । ଏସିଆନ୍ କ୍ରିକେଟ୍ କାଉନ୍‌ସିଲର ପୁରୁଷ ପ୍ରିମିୟର କପ୍‌ରେ ଚାମ୍ପିଅନ୍ ହୋଇଥିବାରୁ ନେପାଳକୁ ଏସିଆ କପ୍ ଖେଳିବାର ସୁଯୋଗ ମିଳିଛି । ୬ଟି ଦଳକୁ ନେଇ ଦୁଇଟି ଗ୍ରୁପ୍ କରାଯାଇଛି । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ବି’ରେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ରହିଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ ।

ଏହାମଧ୍ୟରୁ ୬ଟି ଲିଗ୍ ମ୍ୟାଚ୍ ଖେଳାଯିବାକୁ ରହିଥିବା ବେଳେ ସୁପର ୪ରେ ୬ଟି ମ୍ୟାଚ୍ ଖେଳାଯିବ । ସୁପର ୪ରେ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଥିବା ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଆୟୋଜକ ଭାବେ ପାକସ୍ତାନ ରହିଥିଲେ ମଧ୍ୟ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ନଥିବାରୁ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ । ଅନ୍ୟ ୯ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ।

ଶ୍ରୀଲଙ୍କାର କଲୋମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡ଼ିୟମରେ ସର୍ବାଧିକ ୬ଟି ମ୍ୟାଚ୍ ଖେଳାଯିବାକୁ ରହିଥିବା ବେେଳେ କାଣ୍ଡିର ପାଲିକେଳେ ଷ୍ଟାଡ଼ିୟମରେ ୩ଟି, ପାକିସ୍ତାନର ଗଦ୍ଦାଫି ଷ୍ଟାଡ଼ିୟମରେ ୩ଟି ଓ ମୁଲତାନ୍ ଷ୍ଟାଡ଼ିୟମରେ ଗୋଟିଏ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୭ ତାରିଖରେ ଫାଇନାଲ ମ୍ୟାଚ୍ କଲୋମ୍ବୋଠାରେ ଖେଳାଯିବ ।

Leave a Reply

Your email address will not be published. Required fields are marked *