ସେବାୟତଙ୍କ ମଧ୍ୟରେ ବିବାଦ: ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ପଇତା ଲାଗି ନୀତିକୁ ନେଇ ଏହି ବିବାଦ ଉପୁଜୁଛି। ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇ ନ ଥିଲା । ଫଳରେ ଆଜିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଛନ୍ତି । ଆଜି ଦିନ ତମାମ ଶ୍ରୀଜିଉଙ୍କ କୌଣସି ନୀତି ସମ୍ପନ୍ନ ହେବ ନାହିଁ । ଏହିଭଳି ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ନିୟମିତ ଭାବେ ବିଗତ କିଛି ବର୍ଷ ସମାନ ଧରଣର ସ୍ଥିତି ଉପୁଜୁ ଥିଲେ ସୁଦ୍ଧା ଦେବୋତ୍ତାର କମିସନର କୌଣସି ପ୍ରକାରେ ସମାଧାନ ଦିଗରେ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁ ନାହାନ୍ତି । ଯାହା ଫଳରେ ଦୀଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।

ବିଶେଷ ସୂତ୍ର ଅନୁଯାୟୀ, ୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡୁ ଓ ପୂଜାପଣ୍ଡା ନିଯୋଗ କିଏ କେତୋଟି ପଇତା ଲାଗି କରିବେ ତାହା ତୁଟି ନଥିଲା । ଶେଷରେ ଉକ୍ତ ବର୍ଷ ଏହି ପର୍ବ ବିବାଦରେ ଛନ୍ଦି ହୋଇ ହୋଇଯିବା କାରଣରୁ ପାଳନ ହୋଇ ନଥିଲା । ପରେ ମାମଲା କୋର୍ଟରେ ଯାଇ ପହଞ୍ଚି ଥିଲା । ସେବେଠାରୁ ପବିତ୍ରାରୋପଣରେ ଶ୍ରୀଲିଙ୍ଗରାଜ ଅପୂଜା ରହିବା ସହିତ ସ୍କନ୍ଦ ମଧ୍ୟ ଖାଲି ପଡୁଛି ।

Leave a Reply

Your email address will not be published. Required fields are marked *