ସବୁବେଳେ ଅନ୍ୟ ପାଇଁ ବଞ୍ଚୁଥିବା ସାମ୍ବାଦିକ ନିଜ ବିପଦ ସମୟରେ ଏକା ପଡ଼ିଯାଏ । ଯେଉଁ ଲୋକଙ୍କ ପାଇଁ ସିଏ ନିଜକୁ ଓ ନିଜ ପରିବାର କୁ ସମୟ ଦେଇ ପାରି ନଥାଏ , ସେଇ ସାମ୍ବାଦିକ ଟିର ଅସୁବିଧା ସମୟରେ ତାକୁ କେହି ଆହା ପଦେ କୁହନ୍ତି ନାହିଁ । ଦୂର୍ଘଟଣା କିମ୍ବା କୌଣସି ଗୁରୁତର ଅସୁସ୍ଥତା ସମୟରେ ସାମ୍ବାଦିକ ଟିଏ ଯେଉଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଟ୍ରଷ୍ଟ ର ଅଧ୍ୟକ୍ଷ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଯୋଗ ଦେଇ ଟ୍ରଷ୍ଟ ର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ଗଗନ ବିହାରୀ ସାହୁ, ଆଇନ୍ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହୁ ଟ୍ରଷ୍ଟ ର ନିରପେକ୍ଷ ଓ ସାମ୍ବାଦିକ ଙ୍କ ଇନ୍ସୁରାନ୍ସ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ର ମୁଖପତ୍ର “ପରାଶର” ଉନ୍ମୋଚନ କରାଯାଇଥିଲା ।
ପରେ ଟ୍ରଷ୍ଟ ପକ୍ଷରୁ ପୂର୍ବରୁ କରାଯାଇଥିବି ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପାରାଦ୍ଵୀପ ର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ ଓ ସଂଗଠନ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।