ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ୫ ଗୁଳି ଚୋଟ ଖାଇଲା କେଣ୍ଟ

କାହିଁ କେଉଁ କାଳରୁ ମଣିଷର ପ୍ରଥମ ବନ୍ଧୁ ହେଉଛି ଚତୁଷ୍ପଦ ଶ୍ଵାନ ବା କୁକୁର … ଶିକାରଠାରୁ ଆରମ୍ଭକରି ଘର ଜଗିବା ପର୍ଯ୍ୟନ୍ତ ସବୁ କାମକୁ ବେଶ ନିଷ୍ଠାର ସହ ପାଳନ କରି ଆସିଛି ସେ… ଏମିତିକି ତାର ପ୍ରିୟ ବନ୍ଧୁ ମଣିଷପାଇଁ ଜୀବନ ଦେବାକୁ ବି ପଛେଇନି…ତେବେ, ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀରରେ… ନିଷ୍ଠୁର ଆତଙ୍କବାଦୀ ମାନଙ୍କ ଗୁଳିଚୋଟରୁ ଯବାନ ମାନଙ୍କୁ ରକ୍ଷା କରିବାକୁ ଯାଇ ସହିଦ ହୋଇଛି ଭାରତୀୟ ସେନାର ୬ ବର୍ଷୀୟ ତାଲିମପ୍ରାପ୍ତ ଲାବ୍ରାଡର କୁକୁର ‘କେଣ୍ଟ’ …

ସେପ୍ଟେମ୍ବର ୧୨, ୨୦୨୩…
ରାଜୋରୀର ନର୍ଲା ଜଙ୍ଗଲରେ ଭାରତୀୟ ସେନାର କମ୍ବିଂ ଅପେରସନ…
ଲକ୍ଷ୍ୟ… ପଳାତକ ହତ୍ୟାକାରୀ ଆତଙ୍କବାଦୀଙ୍କ ସଂହାର…

ନିକଟରେ ଜାମ୍ମୁ-କାଶ୍ମୀରର ରାଜୋରୀ ଠାରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲା ୨୧ ଆର୍ମି ଡଗ ୟୁନିଟର ଲାବ୍ରାଡର ‘କେଣ୍ଟ’… ତା’ର ପ୍ରବଳ ଘ୍ରାଣଶକ୍ତି ଯୋଗୁ ଗୁଳିଗୋଳା ତଥା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା କାମରେ ସେନା ବାହିନୀକୁ ସାହାଯ୍ୟ କରୁଥିଲା କେଣ୍ଟ… ପ୍ରଚଣ୍ଡ ପରାକ୍ରମୀ ଭାରତୀୟ ସେନା ବାହିନୀର ପାଲଟା ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ନର୍ଲାର ଘନ ଜଙ୍ଗଲରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ପାକିସ୍ତାନ ଫେରିଯିବାକୁ ଉଦ୍ୟମ କରୁଥିଲେ… ପ୍ରତିକୂଳ ପରିସ୍ଥିତି ଆଉ ଘଂଚ ଜଙ୍ଗଲଘେରା ପାହାଡ଼ ଅତିକ୍ରମ କରି ଖସିଯିବା ସେମାନଙ୍କ ପାଇଁ ଏତେ ସହଜ ନ ଥିଲା କିନ୍ତୁ ଜଙ୍ଗଲ ବଜିଟରେ ଆତ୍ମଗୋପନ କରିବା ପାଇଁ ପର୍ଯ୍ୟାପ୍ତ ଗୁମ୍ଫା ତଥା ବଡ ବଡ ଗଛର ଅଭାବ ନ ଥିଲା… ଏହାର ସୁଯୋଗ ନେଇ ଘଂଚ ଜଙ୍ଗଲରେ ଆତ୍ମଗୋପନ କରି ସେନା ବାହିଁନିର ଯବାନ ମାନଙ୍କ ଉପରେ ଗୁଳି ଚଳାଇବାକୁ ପଛାଉ ନ ଥିଲେ ଆତଙ୍କବାଦୀ… ବିଳମ୍ବିତ ହେଉଥିଲା କୁମ୍ବୀଙ୍ଗ ଅପରେସନ … ମନ୍ଥର ହେଉଥିଲା ଆତଙ୍କବାଦୀ ନିପାତ ଅଭିଯାନ…

ହେଲେ, ଛାଡିବାର ପତ୍ର ନ ଥିଲେ ଯବାନଗଣ… ଡ୍ରୋନ୍ ବ୍ୟବହାର କରି ପଳାତକ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲେ ସେନା ବାହିନୀ. ଆଉ ଆତଙ୍କବାଦୀଙ୍କୁ ଲୁଚିବା ସ୍ଥାନରୁ ଖୋଜି ବାହାର କରିବା ପାଇଁ ସେନା ନେଇଥିଲା କେଣ୍ଟର ସାହାଯ୍ୟ…ସନ୍ଧାନ କାର୍ଯ୍ୟରେ ମାହିର ତୁରନ୍ତ ଆତଙ୍କବାଦୀ ଲୁଚିଥିବା ସ୍ଥାନ ଅଭିମୁଖେ ବାହାରିପଡିଥିଲା ଆଉ ଠିକ ସେତିକିବେଳେ ସେନା ବାହିନୀର ଯବାନଙ୍କ ଉପରେ ଗୁଳିବର୍ଷ କରିଥିଲେ ଆତଙ୍କବାଦୀ… ଆତଙ୍କବାଦୀଙ୍କ ଗୁଳି ଚୋଟରେ ଟଳିପଡିଥିଲା କେଣ୍ଟ ହେଲେ ଇଂଚେ ବି ପଛକୁ ଘୁଂଚି ନ ଥିଲା…କେଣ୍ଟ ତଥା ନିଜ ସାଥୀମାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ଆତ୍ମଗୋପନ କରିଥିବା ତିନି ହତ୍ୟାକାରୀ ଆତଙ୍କବାଦୀଙ୍କୁ ୭୨ ପରୀଙ୍କ ପାଖକୁ ପଠାଇଦେଇଥିଲେ ଯବାନ ଆଉ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରିଥିଲେ ପ୍ରିୟ ବନ୍ଧୁ ‘କେଣ୍ଟ’ର ଶେଷକୃତ୍ୟ…ଆଜି କେଣ୍ଟ ଆଉ ନାହିଁ କିନ୍ତୁ ଚିରକାଳ ପାଇଁ ଶୌର୍ଯ୍ୟ, ସାହସ, ସେବା, ବନ୍ଧୁତ୍ୱ, ତଥା କର୍ତ୍ତବ୍ୟନିଷ୍ଠାର ଅମର ଗାଥା ଛାଡ଼ିଯାଇଛି …

Leave a Reply

Your email address will not be published. Required fields are marked *